ଆରମ୍ଭ ହେଲା ମୋଦି-ପୁତିନ୍ ବୈଠକ : ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ଚୁକ୍ତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆରମ୍ଭ ହୋଇଛି ୧୯ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ବୈଠକ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨୦ଟି ରାଜିନାମା ସ୍ୱାକ୍ଷରିତ ହେବ ବୋଲି ସୂଚନା ରହିଛି । ଏକ ଦୁଇଦିନିଆ ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ।

ଆଜିର ବୈଠକରେ ସର୍ବାଧିକ ଗୁରୁତ୍ବ ଏସ୍-୪୦୦ ଆଣ୍ଟି ମିସାଇଲ୍ ସିଷ୍ଟମ୍ ଯୋଗାଣ ଚୁକ୍ତି ଉପରେ ରହିବ । ଆମେରିକୀୟ ପ୍ରତିବନ୍ଧକକୁ ଅଣଦେଖା କରି ଭାରତ ଏହି ଆଣ୍ଟି ମିସାଇଲ୍ ସିଷ୍ଟମ୍ ରୁଷ୍ ନିକଟରୁ କିଣିବାକୁ ଚାହୁଁଛି । ଅନ୍ୟପଟେ ପୁତିନଙ୍କ ସହ ପ୍ରତିରକ୍ଷା, ପରମାଣୁ ଶକ୍ତି, ମହାକାଶ ଓ ଅର୍ଥନୀତି ପରି ପ୍ରମୁଖ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଦିନ ୨ଟା ୩୦ରେ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ବିନିମୟର କାର୍ଯ୍ୟକ୍ରମ ରହିଛି । ଗତକାଲି ପୁତିନ ଭାରତ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଥିଲେ ।

ସୂଚନାଯୋଗ୍ୟ, ଏସ୍ ୪୦୦ ଆଣ୍ଟି ମିସାଇଲ୍ ସିଷ୍ଟମ୍ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜିବା ପରେ ଭାରତ ୨୪ ମାସ ମଧ୍ୟରେ ଏହି ବ୍ୟବସ୍ଥା ହାସଲ୍ କରିବ । ପୂର୍ବରୁ ୨୦୧୪ ମସିହାରେ ଚୀନ ରୁଷ୍ ପାଖରୁ ଏସ୍ ୪୦୦ ମିସାଇଲ୍ ସିଷ୍ଟମ୍ କ୍ରୟ କରିସାରିଛି । ଏସ୍ ୩୦୦ର ଉନ୍ନତ ସଂସ୍କରଣ ଭାବେ ରୁଷ୍ ଏସ୍ ୪୦୦ ଆଣ୍ଟି ମିସାଇଲ୍ ସିଷ୍ଟମ୍ ନିର୍ମାଣ କରିଥିବା ବେଳେ ଆଗକୁ ଏହି ବ୍ୟବସ୍ଥା ହାସଲ୍ କରି ଦକ୍ଷିଣ ଏସିଆର ପ୍ରମୁଖ ଶକ୍ତିଭାବେ ନିଜ ଉପସ୍ଥିତି ଜାହିର୍ କରିବ । ପାକିସ୍ତାନ ଓ ଚୀନ ଭାରତ ପାଇଁ ଆହ୍ୱାନ ସୃଷ୍ଟି କରୁଥିବାରୁ ଏହା ହାସଲ କରିବା ଭାରତ ଲାଗି ଗୁରୁତ୍ବପୂର୍ଣ୍ଣ ଅଟେ।

ସମ୍ବନ୍ଧିତ ଖବର