ଚୀନ ବିପଦର ମୁକାବିଲା ପାଇଁ ଭାରତଠାରୁ ବ୍ରହ୍ମସ୍ କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା କରିବାକୁ ଇଣ୍ଡୋନେସିଆ ବି ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମସ ମିସାଇଲ କିଣିବାକୁ ବିଚାର କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏ ନେଇ ଦୁଇଦେଶ ମଧ୍ୟ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି ହୋଇପାରେ । ଏହି ଚୁକ୍ତି ସ୍ବାକ୍ଷରିତ ହେବା ପରେ ବ୍ରହ୍ମସ ମିସାଇଲ ପାଇବାପରେ ଇଣ୍ଡୋନେସିଆ ୨ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ ହେବ ।

ଭାରତ ପରି ଇଣ୍ଡୋନେସିଆ ସହ ମଧ୍ୟ ଚୀନର ସୀମା ବିବାଦ ରହିଛି । ଭାରତ ସହ ସ୍ଥଳଭାଗରେ ବିବାଦ ଥିବାବେଳେ ଇଣ୍ଡୋନେସିଆ ସହ ଦକ୍ଷିଣ ଚୀନ ସାଗରରେ ଚୀନର ବିବାଦ ରହିଛି । ଚୀନ ଜାହାଜମାନେ ବାରମ୍ବାର ଇଣ୍ଡୋନେସିଆ ଜଳସୀମା ଅତିକ୍ରମ କରି ଉପଦ୍ରପ ଚଳାଇଥିବାରୁ ଇଣ୍ଡୋନେସିଆ  ଚିନ୍ତିତ ରହିଛି । ଏପରିକି ନିଜ ଜଳସୀମା ଭିତରେ ରହିଲେ ବି ଇଣ୍ଡୋନେସିଆର ଜାହାଜ ଗୁଡ଼ିକ ଉପରେ ଆକ୍ରମଣ କରୁଛି ଚୀନ ।  ଚୀନର ମୁକାବିଲା କରିବାକୁ ଇଣ୍ଡୋନେସିଆ ଏହି ମିସାଇଲ କିଣିବ ।

ଚଳିତ ବର୍ଷ ଆରମ୍ଭରେ ଫିଲିପାଇନ୍ସ ୩୭୪ ନିୟୁତ ଡଲାର ମୂଲ୍ୟର ବ୍ରହ୍ମସ ମିସାଇଲ କିଣିବାକୁ ଚୁକ୍ତି କରିଥିଲା । ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମସ ସିଷ୍ଟମ କିଣିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ ଖରିଦ କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମସ୍ ହେଉଛି ଭାରତ ଓ ଋଷିଆ ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି । ଏହାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ କ୍ରୁଜ ମିସାଇଲ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର