ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ବ୍ଲାକ୍‌ ବକ୍ସ ଠାବ, ସବୁ ଯାତ୍ରୀ ମୃତ

ଜାକର୍ତ୍ତା: ଜାକର୍ତ୍ତା ବିମାନ ବନ୍ଦରରୁ ୱେଷ୍ଟ କାଲିମଣ୍ଟନର ପୋଣ୍ଟିଆନାକ୍‌କୁ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ ପରେ ଗତକାଲି ସମୁଦ୍ରରେ ଖସି ପଡ଼ିଥିବା ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭-୫୦୦ ବିମାନର ଧ୍ବଂସାବଶେଷ ସମେତ ମଣିଷ ଶରୀରର କିଛି ଅଂଶକୁ ଆଜି ଇଣ୍ଡୋନେସିଆ ନୌସେନାର ଉଦ୍ଧାରକାରୀ ଦଳ ପାଇଛନ୍ତି। ଏଥିସହିତ ବିମାନର ବ୍ଲାକ୍‌ ବକ୍ସ ପଡ଼ିଥିବା ସ୍ଥାନ ମଧ୍ୟ ଠାବ ହୋଇଛି ବୋଲି ଇଣ୍ଡୋନେସିଆ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ବ୍ଲାକ୍ ବକ୍ସ ପଡ଼ିଥିବା ଦୁଇଟି ଯାକ ସ୍ଥାନ ଆମେ ଚିହ୍ନଟ କରିଛୁ ବୋଲି ଇଣ୍ଡୋନେସିଆ ପରିବହନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଏସ ଜାହଜାନ୍ତୋ କହିଛନ୍ତି। ଏବେ ବୁଡ଼ାଳିମାନେ ଏହାକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଆରମ୍ଭ କରିବେ ଏବଂ ଖୁବଶୀଘ୍ର ଏହା ମିଳିଯିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।

ଖସି ପଡ଼ିଥିବା ଏହି ବିମାନରେ ମୋଟ ୬୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୫୬ ଜଣ ଯାତ୍ରୀ ଓ ୬ ଜଣ କ୍ରିଉ ‌ମେମ୍ବର ରହିଥିଲେ। ଆଜି ବିମାନର ଧ୍ବଂସାବଶେଷ ମିଳିବା ପରେ ବିମାନରେ ଥିବା ସମସ୍ତେ ପ୍ରାଣ ହରାଇଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି। ସମୁଦ୍ରରେ ପାୟ ୨୩ ମିଟର ତଳୁ ବିମାନର ଧ୍ବଂସାବଶେଷକୁ ବୁଡ଼ାଳିମାନେ ପାଇଛନ୍ତି ବୋଲି ଇଣ୍ଡୋନେସିଆ ସେନା ମୁଖ୍ୟ ହଡ଼ି ଜାହାଜ‌ାଣ୍ଟୋଙ୍କ ମନ୍ତବ୍ୟକୁ ଉଦ୍ଧାର କରି ପରିବହନ ମନ୍ତ୍ରାଳୟ କହିଛି। ବିମାନର ୧ ମିଟର ଲମ୍ବ ଫ୍ୟୁଜଲେଗ୍, ଟାୟାର, ଭଙ୍ଗା ଚକା, ଲାଇଫ୍ ଜ୍ୟାକେଟ, ପିଲାଙ୍କ ପୋଷାକ ଏବଂ ମଣିଷ ଶରୀରର ଅଂଶ ଉଦ୍ଧାରକାରୀ ଦଳକୁ ଜାଭା ସମୁଦ୍ରରୁ ମିଳିଛି ବୋଲି ଇଣ୍ଡୋନେସିଆ ନୌସେନାର ଅଧିକାରୀ ୱାହୁଦିନ ଆରିଫ ସୂଚନା ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ ଉଦ୍ଧାର ହୋଇଥିବା ମଣିଷ ଶରୀରର ଅଂଶଗୁଡ଼ିକୁ ପୁଲିସ ଚିହ୍ନଟ ପାଇଁ ଡାକ୍ତରଖାନାକୁ ନେଇଛି। ଧ୍ବଂସାବଶେଷ ଓ ସିଗ୍‌ନାଲ୍‌ ମିଳିବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଧ୍ବଂସପ୍ରାପ୍ତ ବିମାନକୁ ଖୁବଶୀଘ୍ର ଆମେ ଠାବ କରିବା ନେଇ ଦୃଢ଼ ଆଶାବାଦୀ ରହିଛୁ ବୋଲି ଇଣ୍ଡୋନେସିଆ ବାୟୁସେନାର ଚିଫ୍‌ ଅଫ୍ ଷ୍ଟାଫ୍‌ଙ୍କ ସହଯୋଗୀ ହେନରି ଆଲଫିଆଣ୍ଡି କହିଛନ୍ତି। ଉଦ୍ଧାରକାରୀ ଦଳ ଜାକର୍ତ୍ତା ଉପକୂଳର ଲାକି ଓ ଲାନସାଙ୍ଗ ଦ୍ବୀପ ଚାରିପଟେ ବିମାନର ଧ୍ବଂସାବଶେଷ ଖୋଜିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି ବୋଲି ପୋଲେୟାର ମେରାଇନ ପୁଲିସ ନିର୍ଦ୍ଦେଶକ ମହମ୍ମଦ ୟାସିନ କହିଛନ୍ତି।

ସମ୍ବନ୍ଧିତ ଖବର