ଇନ୍ଦୋର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀକୁ ଫାଶୀ ଦଣ୍ଡ

ଇନ୍ଦୋର: ୪ ମାସର ଶିଶୁ କନ୍ୟାଙ୍କୁ ଅପହରଣ, ଦୁଷ୍କର୍ମ ଓ ପରେ ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତ ନବୀନ ଗଡକେ ନାମକ ଯୁବକକୁ ଇନ୍ଦୋର କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଇନ୍ଦୋର କୋର୍ଟ ବିଚାରପତି ଏହି ଘଟଣାକୁ ଅତ୍ୟନ୍ତ ବିଭତ୍ସ, ବର୍ବର ଓ ଅମାନୁଷିକ କାଣ୍ଡ ବୋଲି କହିିଥିଲେ। ମାତ୍ର ୨୩ ଦିନ ମଧ୍ୟରେ ମାମଲାର ବିଚାର କରି ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ଦିଆଯିବା ଭାରତୀୟ ନ୍ୟାୟ ବ୍ୟବସ୍ଥା ଇତିହାସରେ ଏକ ନୂଆ ଅଧ୍ୟାୟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି,କେନ୍ଦ୍ର ସରକାର ପୋକ୍ସୋ ଆଇନରେ ସଂଶୋଧନ କରିବା ପରେ ଏହା ହେଉଛି ପ୍ରଥମ ଦୁଷ୍କର୍ମଜନିତ ଫାଶୀ ଦଣ୍ଡାଦେଶ। ତେବେ ଦେଶରେ ଉଦ୍‌୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ଦୁଷ୍କର୍ମ ମାମଲାକୁ ରୋକିବା ପାଇଁ ଏହି ଆଇନ ଆଶାର କିରଣ ସୃଷ୍ଟି କରିଥିବା କୁହାଯାଉଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏଣିକି ଦେଶର ନ୍ୟାୟ ବ୍ୟବସ୍ଥା ଆଉ ଅଧିକ ବିଳମ୍ବ କରିବ ନାହିଁ ଏବଂ ମାମଲାର ଶୁଣାଣି ତ୍ୱରାନ୍ଵିତ ହେବ ବୋଲି ସମ୍ଭାବନା ଦେଖାଦେଇଛି। ଗତ ଏପ୍ରିଲ ୨୦ ତାରିଖ ଭୋର୍‌ ସମୟରେ ଇନ୍ଦୋରର ରାଜଓ୍ଵାଡା ଅଂଚଳରେ ରାସ୍ତାକଡରେ ମା’ ବାପାଙ୍କ ସହ ଶୋଇଥିବା ୪ ମାସର ଶିଶୁ କନ୍ୟାକୁ ତାଙ୍କ ସମ୍ପର୍କୀୟ ନବୀନ ଅପହରଣ କରିନେଇ ଶ୍ରୀନାଥ ପ୍ୟାଲେସରେ ଦୁଷ୍କର୍ମ ପରେ ହତ୍ୟା କରି ଫୋପାଡି ଦେଇଥିଲା। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ସମସ୍ତ ପ୍ରମାଣ ଯୋଗାଡ଼ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ସେହିଦିନ ହିଁ ନବୀନକୁ ଗିରଫ କରି ପୁଲିସ ଘଟଣାର ଛାନ୍‌ଭିନ କରିଥିଲା। ଇନ୍ଦୋର କୋର୍ଟ ଲଗାତାର ୭ ଦିନ ଯାଏଁ ଦିନକୁ ୭ ଘଂଟା ଲେଖାଏଁ ମାମଲାର ଶୁଣାଣି କରି ଶେଷରେ ଶନିବାର ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର