ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରର ନନ୍ଦଲାଲପୁରାରେ ଜଣେ କିନ୍ନର ଦୁଇଜଣ ଗଣମାଧ୍ୟମ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ, ଆକ୍ରମଣ ଏବଂ ହତ୍ୟା ଧମକର ଅଭିଯୋଗ କରିଥିଲେ। ଏହି ବିବାଦର କିଛି ଘଣ୍ଟା ମଧ୍ୟରେ ୨୪ଜଣ କିନ୍ନର ଏକାଠି ବିଷ ପିଇ ଦେଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ଅନେକ କିନ୍ନରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। 

Advertisment

ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଷ ପିଇଥିବା କିନ୍ନରମାନଙ୍କୁ ଆମ୍ବୁଲାନ୍ସ ସମେତ ପୁଲିସ ଗାଡ଼ିରେ ତୁରନ୍ତ ଏମୱାଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। 

ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିଆ ଏହି ଘଟଣାକୁ ନେଇ କହିଛନ୍ତି, ‘ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କିନ୍ନର ଗୋଷ୍ଠୀର ୨୪ଜଣ କିନ୍ନର ଫିନାଇଲ୍ ପିଇ ଦେଇଛନ୍ତି। ସମସ୍ତ ପ୍ରଭାବିତ କିନ୍ନରଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସା ପ‌ରେ ଅସୁସ୍ଥ କିନ୍ନରଙ୍କ ଅବସ୍ଥା ସ୍ଥିର ଅଛି। ପୁଲିସ ପ୍ରଶାସନର ତତ୍ତ୍ୱାବଧାନରେ ସେମାନଙ୍କର ଚିକିତ୍ସା ଚାଲିଛି। ବିଷକ୍ରିୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ପନ୍ଧରିନାଥ ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁଃଖଦ ଘଟଣା ପରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ସତର୍କ ହୋଇଯାଇଛନ୍ତି। ଜିଲ୍ଲାପାଳ ଶିବମ ବର୍ମା କ୍ରମାଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛନ୍ତି। 

 ଏହି ଘଟଣା ପୂର୍ବରୁ ପନ୍ଧରିନାଥ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା କିନ୍ନର କହିଥିଲେ, ‘ ଶିବିରର ଗୁରୁଙ୍କ ବିରୋଧରେ ମଇ ୨୪ ତାରିଖରେ ଏକ ଏଫଆଇଆର ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଜୁନ ୧୨ ତାରିଖରେ ଅଭିଯୁକ୍ତ ପଙ୍କଜ ଜୈନ ତାଙ୍କ ସହଯୋଗୀ ଅକ୍ଷୟଙ୍କ ସହିତ ତାଙ୍କ ଶିବିରରେ ପହଞ୍ଚିଥିଲେ। ଏହାପରେ ଦୁଇ ଜଣ ବ୍ୟକ୍ତି ପ୍ରଥମେ ମୋତେ ଧମକ ଦେଇଥିଲେ । ତା'ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମୁଁ ପ୍ରତିରୋଧ କଲେ ଏନକାଉଣ୍ଟର କରି ସାମାଜରେ ମୋତେ ଅପମାନିତ କରିବାର ଧମକ ଦେଇଥିଲେ।’

କିନ୍ନରଙ୍କ ଦ୍ୱାରା ସାମୂହିକଭାବେ ଜୀବନ ହାରିବାର ଉଦ୍ୟମ ପଛରେ ଯେଉଁ ପ୍ରାରମ୍ଭିକ କାରଣ ସାମ୍ନାକୁ ଆସିଛି। ତାହା ହେଉଛି ଦୁଇଟି ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ । ସୂତ୍ରରୁ ଜଣାପଡିଛି ଯେ ପାୟଲ ଏବଂ ସୀମା ଗୁରୁଙ୍କ ଗୋଷ୍ଠୀ ମଧ୍ୟରେ ଗୁରୁଙ୍କ ଆସନ ଏବଂ ଅଞ୍ଚଳର ପ୍ରାଧାନ୍ୟକୁ ନେଇ ଅନେକ ଦିନରୁ ବିବାଦ ଚାଲିଛି। ଏହି ବିବାଦ ନେଇ ପୁଲିସର ସ୍ୱତନ୍ତ୍ର ଟିମ ତଦନ୍ତ କରୁଛି।