ଯୁବକ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ପଢି ୧୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ପାଇବା ପରେ ହୋଇଗଲେ ଜୈନ ମୁନି

ଗୋୱାଲିୟର: ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଥିବା ସୁମିତ ଏବେ ବୈରାଗ୍ୟର ପଥ ବାଛି ନେଇଛନ୍ତି। ଗୁନା ନାମକ ସ୍ଥାନରେ ରହୁଥିବା ସୁମିତ କୁଣ୍ଡଲପୁରରେ ଦୀକ୍ଷା ନେଇଛନ୍ତି। ଏହି ସମୟରେ ତାଙ୍କର ପରିବାର ସଦସ୍ୟ ବି ଉପସ୍ଥିତ ଥିଲେ। ଦୀକ୍ଷା ନେବାପରେ ସୁମିତଙ୍କ ନାମ ପରିବର୍ତ୍ତନ ହୋଇ କ୍ଷୁଲ୍ଲକ ମନ୍ଥନସାଗର ମହାରାଜ ହେବ।

୨୯ ବର୍ଷୀୟ ସୁମିତ ଜୈନ୍ ଗୁନାରେ ରହୁଥିବା ବ୍ୟବସାୟୀ ସୁରେଶ ଚନ୍ଦ୍ର ଜୈନଙ୍କ ପୁଅ ଅଟନ୍ତି। ପିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁମିତ୍ ଜୈନ୍ ଗୁନା ଜିଲ୍ଲାରେ ପ୍ରାରମ୍ଭିକ ପାଠ ପଢିଥିଲେ। ଏହାପରେ ସେ ଇନ୍ଦୋରରେ ଚାର୍ଟାର୍ଡ ଏକାଉଣ୍ଟାଣ୍ଟର ପାଠ ପଢିଥିଲେ। ପଢା ସରିବା ପରେ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ତାଙ୍କର ଚାକିରି ହୋଇଯାଇଥିଲା। ଏଠାରେ ତାଙ୍କର ଦରମା ବାର୍ଷିକ ୧୦ ଲକ୍ଷ ଟଙ୍କା ଥିଲା।

ଇନ୍ଦୋରରେ ରହୁଥିବା ସମୟରେ ସେ ଆଚାର୍ଯ୍ୟଶ୍ରୀଙ୍କ ସାନ୍ନିଧ୍ୟରେ ଆସିଥିଲେ। ୨୦୧୮ରେ ସେ ବ୍ରହ୍ମଚର୍ଯ୍ୟର ବ୍ରତ ନେଇଥିଲେ। ଏହାପରେ କୁଣ୍ଡଲପୁର ତୀର୍ଥରେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ସାନ୍ନିଧ୍ୟରେ ଚାଲୁଥିବା ପଞ୍ଚକଲ୍ୟାଣକ ମହାମହୋତ୍ସବରେ ତାଙ୍କୁ କ୍ଷୁଲ୍ଲକର ଦୀକ୍ଷା ଦିଆଯାଇଥିଲା। ଆଚାର୍ଯ୍ୟ ସୁମିତ ସହ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ କ୍ଷୁଲ୍ଲକ ନାମକରଣ କରାଯାଇଥିଲା। ସମସ୍ତ ବିଦ୍ୟାର୍ଥୀଙ୍କୁ ଭୋଜନ ପାତ୍ର ଓ ଶାସ୍ତ୍ର ଦିଆଯାଇଥିଲା। ଦୀକ୍ଷା ପରେ ସୁମିତ ଜୈନଙ୍କ ନାମ କ୍ଷୁଲ୍ଲକ ମନ୍ଥନସାଗର ମହାରାଜ ହୋଇଛି।

ସମ୍ବନ୍ଧିତ ଖବର