ଇନ୍ଦୋର୍‌: ଜଣେ ପ୍ରାକ୍ତନ ଛାତ୍ର ନିଆଁ ଲଗାଇ ଦେବାରୁ ପ‌ୋଡ଼ିଯାଇ ସାଙ୍ଘାତିକ ଆହତ ହୋଇଥିବା ‘ବି. ଏମ୍‌. ଫାର୍ମାସି କଲେଜ୍‌’ର ପ୍ରିନ୍‌ସିପାଲ୍‌ ବିମୁକ୍ତା ଶର୍ମାଙ୍କର ଆଜି ପାହାନ୍ତାରେ ‘ଚୌତ୍ରମ୍‌ ହସ୍ପିଟାଲ୍‌’ରେ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ଭାଇ ଅରବିନ୍ଦ ତିୱାରି କହିଛନ୍ତି।

Advertisment

ପୁଲିସ କହିବା ଅନୁସାରେ, ‘ବି. ଫାର୍ମା’ ମାର୍କସିଟ୍‌ ପାଇ ନ ଥିବା ଅଭିଯୋଗ କରି ସିମ୍ରୋଲ୍‌ ଅଞ୍ଚଳର ଆଶୁତୋଷ ଶ୍ରୀବାସ୍ତବ ନାମରେ ଜଣେ ୨୪ ବର୍ଷିୟ ଛାତ୍ର ଫେବ୍ରୁଆରି ୨୦ ତାରିଖ ଦିନ ୫୪ ବର୍ଷୀୟ ପ୍ରିନ୍‌ସିପାଲ୍‌ ବିମୁକ୍ତାଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ବିମୁକ୍ତାଙ୍କ ଶରୀର ପ୍ରାୟ ୯୦% ପ‌ୋଡ଼ିଯାଇଥିଲା। ଘଟଣା ପରେ ପରେ କଲେଜ୍‌ର ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ‘ଚୌତ୍ରମ୍‌ ହସ୍ପିଟାଲ୍‌’କୁ ରେଫର୍‌ କରାଯାଇଥିଲା।

publive-image Image Courtesy of News18

ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ନିଲମ୍ବନ କରାଯାଇଛି ବୋଲି ‘ପିଟିଆଇ’ ରିପୋର୍ଟ କରିଛି। ଶ୍ରୀବାସ୍ତବ ଧମକ ଦେଇଥିବା କଥା ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା କଥା ବିମୁକ୍ତାଙ୍କ ଝିଅ ଅଭିଯୋଗ କରିଥିଲେ।

ସମ୍ପ୍ରତି ଇନ୍ଦୋର ପ୍ରଶାସନ ଆଶୁତୋଷ ଶ୍ରୀବାସ୍ତବଙ୍କ ବିରୋଧରେ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଆକ୍ଟ’ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ପ୍ରିନ୍‌ସିପାଲ୍‌ ବିମୁକ୍ତାଙ୍କ ପୋଡ଼ିବା ବେଳେ ନିଜେ ପୋଡ଼ି ଆହତ ହୋଇଥିବା ଶ୍ରୀବାସ୍ତବଙ୍କୁ ‘ଏମ୍‌ ୱାଇ ହସ୍ପିଟାଲ୍‌’କୁ ନିଆଯାଇଥିଲା। ଗୁରୁବାର ଦିନ ହସ୍ପିଟାଲ୍‌ରୁ ତାଙ୍କୁ ଛାଡ଼ କରାଯିବା ପରେ ତୁରନ୍ତ ହାଜତକୁ ନିଆଯାଇଥିଲା। ଶୁକ୍ରବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯିବା ପରେ ଗୋଟିଏ ଦିନ ପାଇଁ ରିମାଣ୍ଡ୍‌ରେ ପୁଲିସ ହାଜତକୁ ନିଆଯାଇଥିଲା।