ନୂଆଦିଲ୍ଳୀ: ତିନି ବର୍ଷ ପୂର୍ବେ କୋଭିଡ-୧୯ କାରଣରୁ ନିଜ ପିତାଙ୍କୁ ହରାଇଥିବା ଇନ୍ଦୋରର ତନିସ୍କା ସୁଜିତ ମାତ୍ର ୧୫ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ବିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏପରି ଏକ ସଫଳତା ହାସଲ କରିବାରେ ସେ ହେଉଛନ୍ତି ରାଜ୍ୟର ସର୍ବକନିଷ୍ଠ ଛାତ୍ରୀ।
ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ ଶୁକ୍ରବାର ଗଣମାଧ୍ୟମରେ ତାଙ୍କର ବୟାନ ଦେଇ କହିଛନ୍ତି ଯେ ତନିସ୍କା ବିଏ (ସାଇକୋଲୋଜି) ଅନ୍ତିମ ବର୍ଷ ପରୀକ୍ଷାରେ ୭୪.୨୦ ପ୍ରତିଶତ ମାର୍କ ହାସଲ କରିଛନ୍ତି। ପରୀକ୍ଷା ଫଳାଫଳ ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ତନିସ୍କା କହିଛନ୍ତି, ‘ମୁଁ ପିଲାଦିନରୁ କମ୍ ବୟସରେ ମୋର ଅଧ୍ୟୟନ ସମାପ୍ତ କରିବାକୁ ଚାହୁଁଥିଲି।’
ତନିସ୍କା କହନ୍ତି ସେ ବର୍ତ୍ତମାନ ବ୍ରିଟେନ ଯାଇ ଆଇନ (ଲ) ଅଧ୍ୟୟନ କରିବେ। ଭବିଷ୍ୟତରେ ସେ ସୁପ୍ରିମକୋର୍ଟର ସର୍ବକନିଷ୍ଠ ପ୍ରଧାନ ବିଚାରପତି ହେବାକୁ ଇଚ୍ଛା ରଖିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ କମାଣ୍ଡର ସମ୍ମିଳନୀରେ ଯୋଗଦେବା ପାଇଁ ମଧ୍ୟପ୍ରଦେଶର ରାଜଧାନୀରେ ପହଞ୍ଚିବା ପରେ ଭୋପାଳରେ ତନିସ୍କାଙ୍କୁ ଭେଟିଥିଲେ। ତନିସ୍କା କହିଥିଲେ ଯେ ପ୍ରାୟ ୧୫ ମିନିଟ ଧରି କଥା ହୋଇ ପ୍ରଧାନମନ୍ତ୍ରୀ ତାଙ୍କୁ ଉତ୍ସାହିତ କରିଥିଲେ।
ତନିସ୍କାଙ୍କ ମାଆ ଅନୁଭା କହିଛନ୍ତି ଯେ କରୋନା ହେତୁ ତାଙ୍କ ସ୍ୱାମୀ ସୁଜିତ ଚନ୍ଦ୍ରନ ୨୦୨୦ ମସିହାରେ ମୃତ୍ୟୁ ବରଣ କରିଥିଲେ। ବାପାଙ୍କ ମୃତ୍ୟୁ ବେଳକୁ ତନିସ୍କାଙ୍କର ଦ୍ବାଦଶ ପରୀକ୍ଷା ଚାଲିଥିଲା। ତାଙ୍କର ଆହୁରିି ଦୁଇଟି ପରୀକ୍ଷା ବାକି ଥିବା ବେଳେ ସୁଜିତଙ୍କ ଦେହାନ୍ତ ହୋଇଥିଲା। ତା ସତ୍ତ୍ବେ ବି ସେ ପରୀକ୍ଷାରେ ପାସ୍ କରିଥିଲେ। ଆଜି ତାଙ୍କ ପିତା ଯେଉଁଠାରେ ଅଛନ୍ତି, ସେ ନିଶ୍ଚୟ ବହୁତ ଖୁସି ହେବେ ବୋଲି ତନିସ୍କା କହିଛନ୍ତି।