ଇନ୍ଦୋର: ରାଗିଂର ଖୁଲାସା ପାଇଁ କଲେଜ ଛାତ୍ରୀ ହେଲେ ଲେଡି ସିଂହମ। ମେଡିକାଲ କଲେଜରେ ରାଗିଂ ହେଉଥିବା ନେଇ ଅଭିଯୋଗ ହେବା ପରେ ସତ୍ୟତା ଜାଣିବା ପାଇଁ ଜଣେ ମହିଳା ପୁଲିସକର୍ମୀ କଲେଜରେ ଛାତ୍ରୀ ‌ହୋଇ ପାଠ ପଢ଼ିବା ସହ ମାମଲାର ତଦନ୍ତ କରିଥିବା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ଘଟଣା ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋର ପୁଲିସ ଏମଜିଏମ ମେଡିକାଲ କଲେଜର ରାଗିଂ ମାମଲାକୁ ଏକ ନିଆରା ଢ଼ଙ୍ଗରେ ସମାଧାନ କରିଛି। ଜୁଲାଇ ୨୪ରେ ପୁଲିସ ପାଖକୁ କଲେଜରେ ରାଗିଂ ହେଉଥିବା ନେଇ ଅଭିଯୋଗ ଆସିଥିଲା। ଏହି ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିବାକୁ କଲେଜକୁ ଛାତ୍ରୀ ହୋଇ ଯାଇଥିଲେ ପୁଲିସକର୍ମୀ ଶାଲିନୀ ଚୌହାନ। ସେ ଡାକ୍ତରୀ ଛାତ୍ରୀ ଭାବରେ କଲେଜକୁ ଯାଇଥିଲେ।

Advertisment

ଶାଲିନୀ ଗଣମାଧ୍ୟମକୁ କହିଛନ୍ତି ଯେ, ପାଞ୍ଚ ମାସ ପୂର୍ବେ ପୁଲିସକୁ ରାଗିଂ ଅଭିଯୋଗ ମିଳିବା ପରେ ମୋତେ ଡାକ୍ତରୀ ଛାତ୍ରୀ ଭାବରେ କଲେଜକୁ ପଠାଯାଇଥିଲା। କଲେଜକୁ ଯାଇ ମୁଁ ନିଜର ସାଙ୍ଗ ବାଛିବା ସହ କ୍ୟାଣ୍ଟିନରେ ସମୟ ବିତାଉଥିଲି। ଛାତ୍ରଛାତ୍ରୀମାନଙ୍କ ସହିତ କଥା ମଧ୍ୟ ‌ହୋଇଥିଲି। ପ୍ରାୟ ୫ମାସ ଏହି ମିଶନରେ ମୁଁ ନିୟୋଜିତ ଥିଲି ଏବଂ ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିଥିଲି। ଆମର ବରିଷ୍ଠ ଅଧିକାରୀ କିଛି ଛାତ୍ରଙ୍କୁ ଚିହ୍ନଟ କରିଥିଲେ ଯାହା ଉପରେ ମୋତେ ନଜର ରଖିବାକୁ ପଡିଥିଲା। ମୁଁ ପ୍ରତିଦିନ ପାଞ୍ଚରୁ ଛଅ ଘଣ୍ଟା କ୍ୟାଣ୍ଟିନରେ ବିତାଇବା ସହ ରାଗିଂ କରୁଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିଥିଲି। ପ୍ରକୃତରେ କଲେଜକୁ ନୂଆ କରି ଆସୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସିନିୟର ଛାତ୍ରଛାତ୍ରୀ ଖରାପ ବ୍ୟବହାର କରୁଥିବା ମୁଁ ଦେଖିବାକୁ ପାଇଲି। ୧୦ଜଣଙ୍କୁ ମୁଁ ଚିହ୍ନଟ କରିଥିବା ବେଳେ ଏବେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି।