ସ୍ମାର୍ଟ ସିଟି ଶୀର୍ଷରେ ଇନ୍ଦୋର, ସୁରତ

ନୂଆଦିଲ୍ଲୀ : ଦେଶର ୧୦୦ ସ୍ମାର୍ଟ ସିଟି ଭିତରେ ମଧ୍ୟ ପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରତ ସହର ମିଳିତଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ୨୦୨୦ ବର୍ଷ ପାଇଁ ଏମାନେ ଚୟନ ହୋଇଛନ୍ତି। ତେବେ ରାଜ୍ୟଗୁଡ଼ିକ ଭିତ୍ତିରେ ଉତ୍ତର ପ୍ରଦେଶ ଶୀର୍ଷରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ମଧ୍ୟପ୍ରଦେଶ ଏବଂ ତୃତୀୟ ସ୍ଥାନରେ ତାମିଲନାଡୁ ଅଛି। ତେବେ ୨୦୧୯ରେ ସୁରତ ଏକମାତ୍ର ସହର ଭାବେ ପ୍ରଥମ ସ୍ଥାନରେ ରହିଥିଲା। ସ୍ମାର୍ଟ ସିଟି ଆୱାର୍ଡରେ ଭୁବନେଶ୍ବରକୁ ଦୁଇଟି ପୁରସ୍କାର ମିଳିଛି। ସାମାଜିକ ଦିଗ ଏବଂ ଗଭର୍ଣ୍ଣାନ୍ସରେ ଭୁବନେଶ୍ବର ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି।

ଚଳିତବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ସ୍ମାର୍ଟ ସିଟିଗୁଡ଼ିକର ସାମଗ୍ରିକ ପ୍ରଦର୍ଶନକୁ ନେଇ ରାଜ୍ୟଗୁଡ଼ିକୁ ବର୍ଗୀକୃତ କରିଛି। ୭ଟି ଅଧିକ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ଲାଗି ଉତ୍ତର ପ୍ରଦେଶ ପଦକ୍ଷେପ ନେଇଛି। ସେହି ସହର ଗୁଡ଼ିକ ହେଲା ମିରଟ, ଗାଜିଆବାଦ, ଅଯୋଧ୍ୟା, ଫିରୋଜାବାଦ, ଗୋରଖପୁର, ମଥୁରା-ବୃନ୍ଦାବନ ଏବଂ ସାହାରନପୁର। ସ୍ମାର୍ଟ ସିଟି ମିସନକୁ ୬ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଆୱାର୍ଡ ଘୋଷଣା କରାଯାଇଛି। ସ୍ମାର୍ଟ ସିଟି ମିସନରେ ପ୍ରସ୍ତାବିତ ମୋଟ ପ୍ରକଳ୍ପ ମଧ୍ୟରୁ ୫୯୨୪ଟି ପ୍ରକଳ୍ପର ଟେଣ୍ଡର ହୋଇଛି। ସେଗୁଡ଼ିକର ମୂଲ୍ୟ ୧ ଲକ୍ଷ ୭୮ ହଜାର କୋଟି ଟଙ୍କା। ଏଥିସହିତ ୧.୪୬ ଲକ୍ଷ କୋଟି ଟଙ୍କାର ୫୨୩୬ଟି ପ୍ରକଳ୍ପର କାର୍ଯ୍ୟାଦେଶ ଜାରି ହୋଇଛି। ଏଥିସହିତ ୪୫୦୮୦ କୋଟି ଟଙ୍କା ମୂଲ୍ୟର ୨୬୬୫ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧିତ ଖବର