ନୂଆଦିଲ୍ଲୀ: ଚାରିଥର ଉଦ୍ୟମ କରିବା ପରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଇନ୍ଦୋରର ଜଣେ ବୁଲା ପରିବା ବିକ୍ରେତାଙ୍କ ଝିଅ ଅଙ୍କିତା ନାଗର ‘ସିଭିଲ୍ ଜଜ୍’ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଗୁରୁବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ସହ ସାକ୍ଷାତ୍କାର ବେଳେ ୨୯ ବର୍ଷୀୟ ଅଙ୍କିତା ନାଗର କହିଛନ୍ତି ଯେ, ଚାକିରି ନିମନ୍ତେ ୩ ଥର ପରୀକ୍ଷାରେ ବିଫଳ ହେବା ସତ୍ତ୍ବେ ବିଚାରପତି ହେବା ପାଇଁ ଥିବା ନିଜସ୍ବ ଲକ୍ଷ୍ୟରୁ ସେ ଓହରି ଯାଇ ନ ଥିଲେ।
ଆପଣା ଆନନ୍ଦ ବ୍ୟକ୍ତ କରି ସେ କହିଛନ୍ତି, ୪ର୍ଥ ଉଦ୍ୟମରେ ମୁଁ ‘ସିଭିଲ୍ ଜଜ୍ କ୍ଲାସ୍-୨’ ପରୀକ୍ଷରେ ସଫଳ ହୋଇଛି। ଆନନ୍ଦ ବ୍ୟକ୍ତ କରିବାକୁ ମୁଁ ଭାଷା ପାଉନାହିଁ।
ଅଙ୍କିତାଙ୍କ ବାପା ଅଶୋକ ନାଗର ମୁସାଖେଡ଼ି ଅଞ୍ଚଳରେ ପରିବା ବିକ୍ରୟ କରନ୍ତି। ଅଙ୍କିତା ମଧ୍ୟ ତାଙ୍କୁ ପରିବା ବିକ୍ରୟରେ ସହଯୋଗ କରନ୍ତି। ଆଇନରେ ସ୍ନାତକୋତ୍ତର ହାସଲ କରିଥିବା ଅଙ୍କିତା ଆଇନ ପଢ଼ିବେ ବୋଲି ପିଲା ଦିନରୁ ଇଚ୍ଛା କରୁଥିଲେ। ଆଇନରେ ସ୍ନାତକ କଲାବେଳେ ବିଚାରପତି ହେବା ପାଇଁ ସେ ସ୍ଥିର କରିଥିଲେ।
ବିଚାରପତି ହେବା ପରେ ତାଙ୍କ ଅଦାଲତକୁ ଯିଏ ଆସିବେ, ସେମାନଙ୍କୁ ଉପଯୁକ୍ତ ବିଚାର ଦେବେ ବୋଲି ଅଙ୍କିତା କହିଛନ୍ତି।
କଦର୍ଯ୍ୟ ପରିସ୍ଥିତିରେ ଜୀବନଯାପନ କରି ମଧ୍ୟ ଝିଅ ସାହସ ନ ହରାଇ ଅନ୍ୟମାନଙ୍କ ପ୍ରତି ପ୍ରେରଣା ସାଜିଛି ବୋଲି ବାପା ଅଶୋକ ନାଗର କହିଛନ୍ତି।