ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଚକିତ କରିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଆମ୍ବ ଖାଇବା ପରେ ଜଣେ ମହିଳାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ହେତୁ ତାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ରାତ୍ର ଭୋଜନ କରିବା ପରେ ଆମ୍ବ ଖାଇଥିଲେ। ଆମ୍ବ ଖାଇବା ପରେ ଅଚାନକ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଲା। ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥି‌ଲେ। ଚିକିତ୍ସାଧୀନ ଅବସ୍ଥ‌ାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ସୂଚନାରୁ ଜାଣିବାକୁ ମିଳିଛି ଯେ ମାମଲା ଇନ୍ଦୋରସ୍ଥିତ ରାଜେନ୍ଦ୍ର ନଗର ଥାନାର ବିଜଲପୁରର। ଏହି ଅଞ୍ଚଳ‌ରେ ରହୁଥିବା ଅର୍ଚ୍ଚନା ରାତିରେ ଖାଇସାରିବା ପରେ ଆମ୍ବ ଖାଇଥିଲେ। ତାପରେ ଅଚାନକ ସେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ମୁଣ୍ଡ ପ୍ରବଳ ଜୋର୍‌ରେ ବଥା ହେବାକୁ ଲାଗିଲା। ଦୀର୍ଘ ସମୟ ଧରି ତାଙ୍କ ମୁଣ୍ଡ ବିନ୍ଧା ନକମିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଯୁବତୀଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍‌ର କହିବା କଥା ହେଉଛି ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ କେଉଁ କାରଣରୁ ମୃତ୍ୟୁ ଘଟିଛି ସ୍ପଷ୍ଟ ହେବ।

‌ଯଦିଓ ମହିଳାଙ୍କ ପରି ଆମ୍ବ ଖାଇ ଅନ୍ୟ କାହାର ମୃତ୍ୟୁ ଘଟିନାହିଁ, ତେବେ ଅନେକ ଲୋକ ଅସୁସ୍ଥ ହୋଇଥିବା ସୂଚନା ରହିଛି। ଏବେ କେବଳ ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟରୁ ଅପେକ୍ଷା ରହିଛି। ରିପୋର୍ଟ ଆସିବା ପରେ ଯାଇ ପୁଲିସ୍‌ ତଦନ୍ତ ଆଗେଇବ।