‘ମନ୍‌ କୀ ବାତ୍‌’ରେ ଇନ୍ଦିରାଙ୍କୁ ମନେ ପକେଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ବେତାର ଉଦ୍‌ବୋଧନ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୩୭ତମ ସଂସ୍କରଣରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇବା ଚର୍ଚ୍ଚାର ବିଷୟ ହୋଇଛି। ଆଜି ସେ ଚିରାଚରିତ ଢଙ୍ଗରେ ଛଟ୍‌ ପୂଜା, ଭାରତର ଶାନ୍ତି ରକ୍ଷା ଯୋଜନା, ସେନା ଗହଣରେ ଦୀପାବଳି କାଟିବା ପରି ବିଭିନ୍ନ ପ୍ରସଙ୍ଗ ମନ୍‌ କୀ ବାତ୍‌ରେ ସ୍ଥାନ ଦେଇଥିବା ବେଳେ ବିଶେଷ କରି ଆସନ୍ତା ୩୧ ତାରିଖ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ସ୍ମରଣ କରିବା ହିଁ ଗୁରୁତ୍ୱ ବହନ କରୁଛି। ସେହି ସମାନ ଦିନରେ ପଡୁଥିବା ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଜୟନ୍ତୀ ଉଦ୍ଦେଶ୍ୟରେ ମୋଦି ତାଙ୍କ ମନ୍‌ କି ବାତ୍‌ର ପୂର୍ବ ଅଧ୍ୟାୟରେ ଉଲ୍ଲେଖ କରି ସାରିଛନ୍ତି।

ଭାରତକୁ ଶାନ୍ତିଦୂତ ଭାବେ ବର୍ଣ୍ଣନା କରି ଜାତିସଂଘ ପକ୍ଷରୁ ନିୟୋଜିତ ଶାନ୍ତିସେନାଙ୍କୁ ମୋଦି ବେଶ ତାରିଫ କରିଛନ୍ତି। ସେହିପରି ଭାରତୀୟମାନେ ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦିଅନ୍ତି ବୋଲି କହି ଛଟ୍‌ ପୂଜାର ଉଦାହରଣ ଦେଇଛନ୍ତି। ସତର ବର୍ଷରୁ କମ୍‌ ଭାରତୀୟ ଫୁଟବଲ ଦଳ ଫିଫା ବିଶ୍ୱକପ୍‌ରେ ପଦକ ନ ଜିତିଲେ ବି ମନ ଜିତିଛନ୍ତି ବୋଲି କହିଛନ୍ତି। ଆଗକୁ ୪ ତାରିଖରେ ପଡୁଥିବା ନାନକ ଜୟନ୍ତୀ ଏବଂ ୧୪ ତାରିଖ ଶିଶୁ ଦିବସ ପାଇଁ ଗୁରୁ ନାନକ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହରୁଙ୍କୁ ସ୍ମରଣ କରିଛନ୍ତି। ସେହିପରି ଶନିବାର ପାଳିତ ହୋଇଯାଇଥିବା ଭଗିନୀ ନିବେଦିତାଙ୍କ ସାର୍ଦ୍ଧଶତୀ ଜୟନ୍ତୀ ଉପଲକ୍ଷେ ମଧ୍ୟ ମୋଦି ନିଦେଦିତାଙ୍କ ଅବଦାନ ସମ୍ପର୍କରେ କହିଛନ୍ତି। ଖଦିବସ୍ତ୍ର ଉପରେ ଗୁରୁତ୍ୱ ଦେଇ ପୂର୍ବରୁ ତାହା ଏକ ସଉକ ଥିଲା ବେଳେ ଏବେ ଆମେ ତାହାକୁ ପରିବର୍ତ୍ତନ ବୋଲି ଭାବୁଥିବା ମୋଦି କହିଛନ୍ତି। ଶେଷରେ ସେ କ୍ରୀଡ଼ା ଜଗତରେ ଭାରତର ଭୂମିକା ପ୍ରଶଂସନୀୟ କହି ଡେନମାର୍କ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଜିତିଥିବା କେ. ଶ୍ରୀକାନ୍ତଙ୍କୁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର