ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ୍‌ର ମୁଖ୍ୟ ଇନ୍ଦ୍ରା ନୁୟି? ପୂର୍ବତନ ପେପ୍‌ସିକୋ ସିଇଓଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ମନୋନୟନ କରିପାରେ ହ୍ଵାଇଟ୍‌ହାଉସ୍‌

ଓ୍ଵାଶିଂଟନ: ବିଶ୍ୱ ବ୍ୟାଙ୍କ୍‌ର ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଲାଗି ପେପ୍‌ସିକୋର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଇନ୍ଦ୍ରା ନୁୟିଙ୍କ ନାମ ବିବେଚନା କରୁଥିବା ଜଣାପଡ଼ିଛି। ନ୍ୟୁୟର୍କ ଟାଇମ୍ସ ମୁତାବକ, ୬୩ ବର୍ଷୀୟା ନୁୟି ଦୀର୍ଘ ୧୨ ଧରି ପେପ୍‌ସିକୋ ସିଇଓ ରହିବା ପରେ ଗତବର୍ଷ ଅଗଷ୍ଟରେ ଅବସର ନେଇଥିଲେ।

ନ୍ୟୁୟର୍କ ଟାଇମ୍ସ ତା’ର ରିପୋର୍ଟରେ ପ୍ରକାଶ କରିଛି ଯେ, ଇନ୍ଦ୍ରା ନୁୟିଙ୍କ ନାମ ପ୍ରଶାସନର ମନୋନୀତ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ ସୁପାରିସ କରୁଥିବା ସୂଚନା ମିଳିଛି । ବିଶ୍ୱ ବ୍ୟାଙ୍କ୍‌ର ଅଧ୍ୟକ୍ଷ ପ୍ରାର୍ଥୀ ଚୟନ କରିବାର ଗୁରୁ ଦାୟିତ୍ୱ ଏବେ ଇଭାଙ୍କାଙ୍କ ମୁଣ୍ଡରେ ରହିଛି।

ପେପ୍‌ସିକୋ ପରି ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଏକ ଦଶନ୍ଧିରୁ ଊର୍ଧ୍ୱ କାଳ ରହିଥିବା ନୁୟିଙ୍କୁ କମ୍ପାନିର ସଫଳତା ସକାଶେ ଶ୍ରେୟ ଦିଆଯାଉଛି । ନୁୟିଙ୍କ ନାମ ବିଶ୍ୱ ବ୍ୟାଙ୍କ୍‌ର ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ଘୋଷଣା ସମୟରେ ସେ କହିଛନ୍ତି କି, ‘ପେପ୍‌ସିକୋ ଆଜିର ଦିନରେ ଏକ ସବଳ କମ୍ପାନି ଭାବେ ଛିଡ଼ା ହୋଇଥିବା ସହ ଆଗକୁ ବି ଏହି ସ୍ଥିତି ଜାରି ରହିବ।’

ସେ ଆହୁରି ବି କହିଛନ୍ତି କି , ‘ଭାରତରେ କମ୍ପାନିର ଚାହିଦା ବଢ଼ିଚାଲିବା ସମୟରେ ମୁଁ କେବେ ଭାବିନଥିଲି ଯେ ମୋତେ ଏପରି ଅସାଧାରଣ କମ୍ପାନିର ନେତୃତ୍ୱ ନେବାର ସୁଯୋଗ ମିଳିବ।’ ଅନ୍ତରାଷ୍ଟୀୟ କ୍ରିକେଟ୍‌ ପରିଷଦ(ଆଇସିସି) ୨୦୧୮ ମସିହା ଫେବ୍ରୁଆରି ମାସରେ ଇନ୍ଦିରା ନୁୟିଙ୍କୁ ବୋର୍ଡର ପ୍ରଥମ ସ୍ୱତନ୍ତ୍ର ମହିଳା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲା।

ସମ୍ବନ୍ଧିତ ଖବର