ମୁମ୍ବାଇ: ଗ୍ଲାମର ଓ ସଫଳତାର ରଙ୍ଗ ତଳେ ମୁମ୍ବାଇରେ ୨୦୧୨ ମସିହାରେ ସାମ୍ନାକୁ ଆସିଥିଲା ପ୍ରତାରଣା, ବିଶ୍ୱାସଘାତକତା ଓ ହତ୍ୟାର ଏକ ଭୟାନକ କାହାଣୀ- ଯାହା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦେଶକୁ ଆକର୍ଷିତ କରିଛି। ‘ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ: ଦ ବରିଡ୍ ଟ୍ରୁଥ୍’ ଶୀର୍ଷକ ଏକ ନୂତନ ଡକ୍ୟୁ-ସିରିଜ୍‌ରେ ଶିନା ବୋରାଙ୍କ ନିଖୋଜ ଘଟଣାକୁ ଦର୍ଶାଯାଇଛି ଏବଂ ଏହା ଫେବ୍ରୁଆରି ୨୯ରେ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରିମିୟର ଭାବେ ପ୍ରସାରିତ ହୋଇଛି। ଏହାପରେ ଶିନା ବୋରା ହତ୍ୟା କାହାଣୀ ସାରା ଦେଶରେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ମୁମ୍ବାଇ ମେଟ୍ରୋ ଵାନ୍ ପାଇଁ କାମ କରୁଥିବା ୨୫ ବର୍ଷୀୟା ଶିନା ବୋରା ୨୦୧୨ ଏପ୍ରିଲ ୨୪ ତାରିଖରେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଆଉ କେବେ ଦେଖିବାକୁ ମିଳି ନ ଥିଲା। ବର୍ଷ ବର୍ଷ ଧରି ଏହି ମାମଲାର ତଦନ୍ତ କରିବା ପରେ ମୁମ୍ବାଇ ପୁଲିସ ଅଗଷ୍ଟ ୨୦୧୫ରେ ଶିନାଙ୍କ ମା’ ତଥା ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ଇନ୍ଦ୍ରାଣୀ ମୁଖାର୍ଜୀ ଓ ତାଙ୍କ ଦ୍ୱିତୀୟ ସ୍ୱାମୀ ପିଟର ମୁଖାର୍ଜୀଙ୍କ ସହ ସେମାନଙ୍କ ଡ୍ରାଇଭର ଶ୍ୟାମବର ରାୟଙ୍କୁ ଗିରଫ କରିଥିଲା।

Advertisment

ଶିନା ବୋରାଙ୍କ ଅପହରଣ, ହତ୍ୟା ଓ ମୃତଦେହକୁ ଗାଏବ କରିବା ଆଦି ଅଭିଯୋଗ ସେମାନଙ୍କ ବିରୋଧରେ ରହିଥିଲା। ୨୦୧୨ ଏପ୍ରିଲ୍ ମାସରେ ଇନ୍ଦ୍ରାଣୀ, ତାଙ୍କ ତତ୍କାଳୀନ ଡ୍ରାଇଭର ଶ୍ୟାମବର ରାୟ ଏବଂ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନା ସିନା ବୋରାଙ୍କୁ କାର୍‌ରେ ଗଳା ଚିପି ହତ୍ୟା କରିଥିଲେ। ପଚରାଉଚରା ବେଳେ ଖାନ୍ନା ଓ ରାୟ ଅପରାଧ ସ୍ୱୀକାର କରିଥିଲେ। ମାତ୍ର ଇନ୍ଦ୍ରାଣୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ଶିନା ଜୀବିତ, ସୁସ୍ଥ ଅଛନ୍ତି ଓ ଆମେରିକାରେ ରହୁଛନ୍ତି। ଶ୍ୟାମ ରାୟଙ୍କୁ ପଚରାଉଚରା କରିବାରୁ ଶିନା ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନା ସମ୍ପୃକ୍ତ ଥିଲେ।

ରାୟଙ୍କ ବିବରଣୀ ଅନୁଯାୟୀ, ହତ୍ୟାକାଣ୍ଡର ଦିନକ ପୂର୍ବରୁ ଇନ୍ଦ୍ରାଣୀ ମୃତଦେହ କେଉଁଠି ପକାଇବେ ସେ ନେଇ ସ୍ଥାନ ନିରୂପଣ କରିଥିଲେ। ୨୦୧୨ ଏପ୍ରିଲ ୨୪ ତାରିଖ ସନ୍ଧ୍ୟାରେ ଖାନ୍ନା ବାନ୍ଦ୍ରାର ଏକ ବାଇ-ଲେନ୍‌ରେ ଶିନାଙ୍କୁ ଗଳାଚିପି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୱର୍ଲିସ୍ଥିତ ଇନ୍ଦ୍ରାଣୀଙ୍କ ବାସଭବନକୁ ନିଆଯାଇଥିଲା, ଯେଉଁଠାରେ ଏହାକୁ ଏକ ବ୍ୟାଗ୍‌ରେ ଲୁଚାଇ ଏକ କାର୍‌ର ଡିକିରେ ଭର୍ତ୍ତି କରାଯାଇଥିଲା। ରାୟ ଦାବି କରିଛନ୍ତି ଯେ ଏହାପରେ ତିନିଜଣ ମହାରାଷ୍ଟ୍ରର ଗାଗୋଡେ ଗ୍ରାମକୁ ଯାଇ ମୃତଦେହକୁ ପୋଡ଼ି ଦେଇଥିଲେ।

ଶୁଣାଣି ସମୟରେ ମୁଖାର୍ଜୀ ପରିବାରର ଅନେକ କଳା ରହସ୍ୟ ପଦାକୁ ଆସିଥିଲା। ପିଟର ମୁଖାର୍ଜୀଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମିତ ସାନପୁଅ ରାହୁଲ ସହ ତାଙ୍କ ସାବତ ଭଉଣୀ ଶିନା ବୋରା ଲିଭ୍-ଇନ୍ ରିଲେସନ୍‌ସିପ୍‌ରେ ଥିଲେ। ଆର୍ଥିକ ବିବାଦ ଏବଂ ରାହୁଲଙ୍କ ସହ ଶିନାଙ୍କ ସମ୍ପର୍କକୁ ଇନ୍ଦ୍ରାଣୀଙ୍କ ବିରୋଧ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦାବି କରିଛି। ଝିଅକୁ ହତ୍ୟା ଅଭିଯୋଗରେ ବାଇକୁଲା ଜେଲରେ ବନ୍ଦୀ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ‘ଅନବ୍ରୋକେନ୍: ଦ ଅନଟୋଲ୍ଡ ଷ୍ଟୋରୀ’ ଶୀର୍ଷକ ଏକ ସ୍ମୃତିପତ୍ର ପ୍ରକାଶ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଶିନା ବୋରା ତାଙ୍କ ପାଇଁ ଝିଅ ନୁହେଁ ବରଂ ଭଉଣୀ ପରି ଥିଲେ। ସ୍ୱପ୍ନ ଓ ଦୁଃସ୍ୱପ୍ନ ମୁହାଁମୁହିଁ ହେଉଥିବା ସହରରେ ଶିନା ବୋରା ହତ୍ୟାକାଣ୍ଡ ଏକ ହୃଦୟବିଦାରକ କାହାଣୀ ହୋଇ ରହିଛି, ଯାହା ଅପରାଧ ଇତିହାସର ରେକର୍ଡରେ ଏକ କଳା ଅଧ୍ୟାୟ।