ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣ ପ‌ରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି।  ସିନ୍ଧୁ ଜଳ ଛାଡ଼ିବା ପ୍ରକ୍ରିୟାକୁ ଭାରତ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଥିବାରୁ ଏହା ନେଇ ପାକିସ୍ତାନ ଗଭୀର ଚିନ୍ତା ପ୍ରକଟ କରିଛି। ଭାରତର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଭାରତକୁ ପାକିସ୍ତାନ ଅନୁରୋଧ କରିଛି ଏବଂ ଏଥିପାଇଁ   ଭାରତକୁ ୪ଟି ଚିଠି ମଧ୍ୟ ପଠାଇଛି। ଅପରେସନ୍‌ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ ପାକିସ୍ତାନ ଭାରତକୁ ପ୍ରଥମ ଚିଠି ପଠାଇଥିଲା।  ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନ   ୩ଟି ଚିଠି ପଠାଇଛି।   ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପ‌ରେ ପୁନର୍ବିଚାର କରିବାପାଇଁ ଭାରତକୁ ପାକିସ୍ତାନ  ବାରମ୍ବାର ଅନୁରୋଧ କରୁଛି।  

Advertisment

ଅପରେସନ୍‌ ସିନ୍ଦୂର ପରେ ଆସିଛି ୩ ଚିଠି

ଉଲ୍ଲେଖଯୋଗ୍ୟ,  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ବାଣିଜ୍ୟ ଓ ଆତଙ୍କବାଦ, ଜଳ ଓ  ରକ୍ତ, ଗୁଳି ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବନି।  ଏହାପରେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଦେଲା।  ଭାରତର ଜଳ ଶକ୍ତି ମନ୍ତ୍ରାଳୟର ସଚିବ ପାକିସ୍ତାନର ଜଳ ମନ୍ତ୍ରାଳୟ ସଚିବ ସୟଦ ଅଲି ମୁର୍‌ତାଜାଙ୍କୁ  ଏକ ଚିଠି ଲେଖି ଦର୍ଶାଇଥିଲେ ଯେ ଭାରତ ଲଗାତାର ଭାବେ ପାକିସ୍ତାନର ସୀମାପାର ଆତଙ୍କବାଦର ଶିକାର ହୋଇଛି।  ଭାରତ ସିନ୍ଧୁ ଜଳ ଚୁକ୍ତିରେ ଏହାର ଅଂଶଗ୍ରହଣକୁ ରଦ୍ଦ କରୁଥିବା ଏହି ଚିଠିରେ ଦର୍ଶାଯାଇଥିଲା।   ପାକିସ୍ତାନ ପାରସ୍ପରିକ ବିଶ୍ବାସ ଏବଂ ସହଯୋଗକୁ ନଷ୍ଟ କରିଦେଇଛି ବୋଲି ଭାରତ କହିଥିଲା। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ଦ୍ବାରା ପାକିସ୍ତାନର ରବି ଫସଲ ଅତି ସାଂଘାତିକ ଭାବେ  ପ୍ରଭାବିତ ହେବ। କେବଳ କୃଷି ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର ପ୍ରଭାବ ରହିବ।  ଏଥିପାଇଁ ପାକିସ୍ତାନରେ ଅତ୍ୟନ୍ତ ଉତ୍କଟ ଜଳ ସଙ୍କଟ ମଧ୍ୟ ଦେଖା ଦେଇପାରେ।   ଏହି ମାମଲାରେ ମଧ୍ୟସ୍ଥତା କରିବାପାଇଁ ପାକିସ୍ତାନ ପୂର୍ବରୁ ବିଶ୍ବ ବ୍ୟାଙ୍କ୍‌କୁ ଅନୁରୋଧ କରିଥିବା ବେଳେ ବିଶ୍ବ ବ୍ୟାଙ୍କ୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।