ଯୋଗୀଙ୍କ ସହ କଥା ହେବା ପରେ ମନ୍ତ୍ରୀ ପଦରେ ରହିବେ ବୋଲି କହିଲେ ଦୀନେଶ ଖଟୀକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ୨ଜଣ ମନ୍ତ୍ରୀ ଅସନ୍ତୁଷ୍ଟ ଥିବା କଥା କୁହାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଇସ୍ତଫା ଦେଇଥିବା ଖବର ମିିଳିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଇସ୍ତଫା ପତ୍ର ପଠାଇ ଉତ୍ତରପ୍ରଦେଶ ରାଜ୍ୟ ଜଳଶକ୍ତି ବିଭାଗ ମନ୍ତ୍ରୀ ଦିନେଶ ଖଟୀକ ସମ୍ମାନ ମିଳୁନଥିବା ନେଇ ଅଭିଯୋଗ କରିଥିଲେ। ନିଜ ଇସ୍ତଫା ପତ୍ରରେ ତାଙ୍କ ପ୍ରତି ଅବହେଳା କରାଯାଇଥିବା ଏବଂ ଦଳିତ ବୋଲି ସମ୍ମାନ ଦିଆଯାଉନଥିବା ଅଭିଯୋଗ କରିଥିଲେ ଦିନେଶ ଖଟୀକ। କେବଳ ଅମିତ ଶାହା ନୁହନ୍ତି, ଦିନେଶ ଖଟୀକ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜଭବନକୁ ପଠାଇଥିଲେ।

ତେବେ ଦୀନେଶଙ୍କ ଇସ୍ତଫା ପତ୍ର ପାଇବା ପରେ ଆଜି ଯୋଗୀ ତାଙ୍କୁ ଭେଟିଥିଲେ। କିଛି ସମୟ ଧରି ଆଲୋଚନା ଚାଲିବା ପରେ ଦୀନେଶଙ୍କ ସମସ୍ତ ରାଗ ଶାନ୍ତ ହୋଇଥିବା କୁହାଯାଉଛି। ଆଲୋଚନା ପରେ ବାହାରକୁ ଆସିବା ପରେ ତାଙ୍କର ପ୍ରତିକ୍ରିୟା ମଗାଯିବାରୁ ସେ କହିଥିଲେ ଯେ, ମୋର ଯାହାବି ଦାବି ବା ଅଭିଯୋଗ ରହିଥିଲା ମୁଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଜଣାଇଛି। ମୁଁ ଏବେ ମନ୍ତ୍ରୀ ପଦରେ ରହି କାମ ଜାରି ରଖିବି। ତାଙ୍କର ଏଭଳି ବୟାନ ପରେ ସେ ଇସ୍ତଫା ଦେଉନଥିବା ସ୍ପଷ୍ଟ ହୋଇଛି।

ତେବେ ଦୀନେଶ ଇସ୍ତଫା ଦେଉନଥିଲେ ବି ସେ ନିଜ ଇସ୍ତଫା ପତ୍ରରେ ଯେଉଁ ଅଧିକାରୀଙ୍କ ବିଷୟରେ ଅଭିଯୋଗ କରିଥ‌ିଲେ ସେମାନଙ୍କୁ ନିଲମ୍ବିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ବୁଧବାର ଜଲଶକ୍ତି ବିଭାଗର ମନ୍ତ୍ରୀ ଦିନେଶ ଅଭିଯୋଗ କରିଥିଲେ ଯେ ଦଳିତ ହୋଇଥିବାରୁ ମୋ କଥା ବିଭାଗରେ କେହି ଶୁଣନ୍ତି ନାହିଁ। ଏହା ସହ ମୋତେ କୌଣସି ବୈଠକ ସମ୍ପର୍କରେ ଅବଗତ କରାଯାଏ ନାହିଁ। ମନ୍ତ୍ରୀ ହିସାବରେ କେବଳ ମୋତେ ଗାଡ଼ି ଦିଆଯାଇଛି, ହେଲେ ସମ୍ମାନ ମିଳିନାହିଁ। ମୁଁ ଟ୍ରାନ୍ସଫରକୁ ନେଇ ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ମାଗିଥିଲେ ବି ମେ‌ାତେ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ। ପୁରା କଥା ନଶୁଣି ମୋ ଫୋନକୁ କାଟି ଦିଆଯାଇଛି। ଏସବୁ ହେବା ପରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ଲେଖିବା ସହ ନମାମି ଗଙ୍ଗେ ଯୋଜନାରେ ଦୁର୍ନୀତି ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଦିନେଶ ଖଟୀକ ଶାହାଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର