ବରେଲି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲା ଅନ୍ତର୍ଗତ କଠୁଆ ଗାଁ’ରେ ଥିବା ଜଳାଶୟରେ ଫିଙ୍ଗି ଦିଆଯାଇଥିବା ଗୋଟାଏ ୨ଦିନର ଝିଅକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ଜଳାଶୟର କୂଳଠାରୁ ୧୫ ଫୁଟ୍‌ ଭିତରକୁ ବେକେ ପାଣିରେ ବୁଡ଼ି ରହିଥିବା କୋଳଛୁଆଟିକୁ ସ୍ଥାନୀୟ ବାସିନ୍ଦାମାନେ ଦେଖି ଉଦ୍ଧାର କରିଥିଲେ। ଜଳାଶୟରେ ଭରି ରହିଥିବା ବିଲାତିଦଳ ଛୁଆଟିର ମୁଣ୍ଡ ତଳେ ତକିଆ କାମ କରିବା ସହିତ ତାକୁ ପାଣିରେ ଭସାଇ ରଖିଲା ବୋଲି ସେମାନେ କହିଛନ୍ତି।

ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଜିଲ୍ଲା ହସ୍ପିଟାଲ୍‌କୁ ରେଫର୍‌ କରାଯିବା ପୂର୍ବରୁ ପୁଲିସ ଝିଅଟିକୁ ନବାବଗଞ୍ଜରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଝିଅଟି ଦେହରେ କୌଣସି କ୍ଷତ ନ ଥିବା ଜଣାପଡ଼ିଛି।

publive-image Image Courtesy of CGTN

ସଂଗୃହୀତ ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣରେ କଠୁଆ ଗାଁ’ର ପୂର୍ବତନ ମୁଖିଆ ୱକୀଲ୍‌ ଅହମଦ୍‌ ବିଲକୁ ଯାଉଥିବା ବେଳେ ଫୋନ୍‌ କରି ପୁଲିସକୁ ସୂଚନା ଦେଲେ ଯେ, ସ୍ଥାନୀୟ ଜଳାଶୟରେ ଛୁଆଟିଏ ପଡ଼ିଛି। ତା’ପରେ ସେ ପାଣିରେ ପଶି ଛୁଆଟିକୁ ଉଠାଇ ଆଣିଥିଲେ। ଖବର ପ୍ରଘଟ ହେବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ‘ଚମତ୍କାରିତା’ ଦେଖିବା ଲାଗି ଗହଳି କରିଥିଲେ। ଛୁଆଟିକୁ ଜଳାଶୟରୁ ବାହାର କରାଯିବା ବେଳେ ବିଲାତିଦଳରେ ତା’ର ଦେହ ଢାଙ୍କି ହୋଇଥିଲା। ସେ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ (ଗ୍ରାମୀଣ) ରାଜକୁମାର ଅଗ୍ରୱାଲ୍‌ କହିଛନ୍ତି, ସୌଭାଗ୍ୟକୁ ସେ ବିଲାତିଦଳରେ ଲାଖି ରହିଥିଲା। ବିଲାତିଦଳ ଯୋଗୁଁ ସେ ପାଣିରେ ବୁଡ଼ି ପାରି ନ ଥିଲା।

ଛୁଆଟିକୁ ‘ଶିଶୁ କଲ୍ୟାଣ କମିଟି’କୁ ହସ୍ତାନ୍ତର କରାଯିବା ପରେ ତା’କୁ ବରେଲି ସହରସ୍ଥିତ ‘ଫୋଷ୍ଟର୍‌ ହୋମ୍‌’କୁ ସ୍ଥାନାନ୍ତର କରାଯାଇଛି। ପୁଲିସ କହିଛି, ଆମେ ତା’ର ପିତାମାତାଙ୍କୁ ୭୨ ଘଣ୍ଟା ଅପେକ୍ଷା କରିବୁ। ଯଦି କେହି ନ ଆସନ୍ତି ତେବେ ନିୟମାନୁସାରେ, ଅଭିଯୋଗ ଦାଏର କରିବୁ। ଆମେ ଝିଅଟିର ନାଁ ‘ଗଙ୍ଗା’ ରଖିଛୁ।