ବିଶ୍ବରେ ସଂକ୍ରମଣ ୨୫ କୋଟି ଟପିଲା: ୨୬୨ ଦିନରେ ସବୁଠୁ କମ୍‌ ସକ୍ରିୟ ମାମଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ୨୫ କୋଟି ଟପିଯାଇଛି। ଗତ ୩ ମାସ ମଧ୍ୟରେ ବିଶ୍ବରେ ଦୈନିକ ହାରାହାରି ସଂକ୍ରମଣ ୩୬ ପ୍ରତିଶତ କମିଛି। ତେବେ ସଂକ୍ରମଣ କମିଥିଲେ ସୁଦ୍ଧା କରୋନା ଯୋଗୁଁ ପ୍ରତି ୯୦ ଦିନରେ ୫ କୋଟି ଲୋକ ସଂକ୍ରମିତ ହେଉଛନ୍ତି। ଡେଲ୍‌ଟା ଯୋଗୁଁ ସଂକ୍ରମଣ ବଢ଼ୁଛି। ବିଶ୍ବରେ ପ୍ରଥମ ୫ କୋଟି ସଂକ୍ରମଣ ପାଇଁ ପ୍ରାୟ ବର୍ଷେ ଲାଗିଥିଲା। କିନ୍ତୁ ଏହାପରେ ସଂକ୍ରମଣ ଅଚାନକ ବଢ଼ିଗଲା। ଗତ ୩ ମାସ ଧରି ଦୈନିକ ହାରାହାରି ସଂକ୍ରମଣ କମିଥିଲେ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଛି। ୨୪୦ ରାଷ୍ଟ୍ର ମଧ୍ୟରୁ ୫୫ ଟି ରାଷ୍ଟ୍ରରେ ଏବେ ବି ସଂକ୍ରମଣ ବଢ଼ୁଛି। ରୁଷ୍‌, ୟୁ‌କ୍ରେନ ଏବଂ ଗ୍ରିସ୍‌ରେ ଏବେ ସଂକ୍ରମଣ ବଢ଼ୁଛି। ଆମେରିକା ଏବେ ବି ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୪୭,୩୩୬,୫୭୭ ଏବଂ ମୃତ୍ୟୁସଂଖ୍ୟା ୭୭୫,୨୧୮। ଆମେରିକା ପରେ ଭାରତରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୩,୬୬,୯୮୭ ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୪,୬୧,୦୫୭। ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ ତୃତୀୟ ସ୍ଥାନରେ। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୨୧,୮୮୦,୪୩୯। ସେହିପରି ବ୍ରିଟେନରେ ସଂକ୍ରମଣ ମାମଲା ୯,୩୦୧,୯୦୯ ଥିବାବେଳେ ରୁଷ୍‌ରେ ୮,୮୩୪,୪୯୫ ଏବଂ ତୁର୍କୀରେ ୮,୨୩୧,୬୭୯ ରହିଛି। ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୨୫୦,୭୫୯,୫୦୮ ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୫,୦୬୭,୭୦୭ରେ ପହଞ୍ଚିଛି।

୨୬୨ ଦିନରେ ସବୁଠୁ କମ୍‌ ସକ୍ରିୟ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୧୪୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୬୬ ଜଣଙ୍କ କରୋନରେ ମୃତ୍ୟୁ ହୋଇଛ। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୩,୬୬,୯୮୭ ଓ ମୃତ୍ୟୁସଂଖ୍ୟା ୪,୬୧,୦୫୭ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୭,୧୨୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେରଳରେ ମୋଟ୍‌ ସଂକ୍ରମଣ ମାମଲା ୫୦,୧୫,୫୦୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮୯୨ ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ୍‌ ସଂକ୍ରମଣ ମାମଲା ୬୬,୧୭,୬୫୪। ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ୯୮.୨୪ ପ୍ରତିଶତ ଓ ସକ୍ରିୟ ମାମଲା ୧,୪୨,୮୨୬। ୨୬୨ ଦିନରେ ଏହା ସବୁଠୁ କମ୍‌। ଲଗାତାର ୩୧ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୨୦ ହଜାର ତଳେ ଏବଂ ୧୩୪ ଦିନ ଧରି ସଂକ୍ରମଣ ମାମଲା ୫୦ ହଜାର ତଳେ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୪୨ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ୧.୩୨ ପ୍ରତିଶତ। ଲଗାତାର ୩୫ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୨୬ ପ୍ରତିଶତ। ୪୫ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହୁଛି।

ସମ୍ବନ୍ଧିତ ଖବର