ଗ୍ରାମୀଣ ଭାରତରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬/୫ : ‌ଦେଶରେ ଦ୍ବିତୀୟ ଲହର ସଂକ୍ରମଣ ଭୟ ‌ଖେଳାଇ ଦେଇଥିବା ବେଳେ ଏବେ ପୁଣି ତୃତୀୟ ଲହର ସଂକ୍ରମଣ ନେଇ ସରକାର ଚେତାବନୀ ଦେଲେଣି। ଦୈନିକ ସଂକ୍ରମଣ ପୁଣି ୪ ଲକ୍ଷ ଟପିଛି। କିଛି ରାଜ୍ୟରେ ସଂକ୍ରମଣ କମୁଛି କିନ୍ତୁ ଏହା ଆଦୌ ଆଶ୍ବସ୍ତିଜନକ ନୁହେଁ। ଏବେ ଦକ୍ଷିଣ ଭାରତରେ ସଂକ୍ରମଣ ବୃଦ୍ଧି ହେଲାଣି। ଗ୍ରାମାଞ୍ଚଳରେ କରୋନାର ପ୍ରକୋପ ବଢ଼ୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଚିନ୍ତା ବଢ଼ିଛି । ମହାରାଷ୍ଟ୍ର ପରି ସ୍ଥିତି କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଗତକାଲି କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ମାମଲା ୫୦ ହଜାର ଟପିଛି। ବିଶ୍ବର ମୋଟ୍‌ ସଂକ୍ରମଣ ମାମଲାର ଅଧା ଏବଂ କରୋନା ମୃତ୍ୟୁର ୨୫ ପ୍ରତିଶତ କେବଳ ଭାରତରେ ରହିଛି।

ଗ୍ରାମୀଣ ଅଞ୍ଚଳରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ପାଇଁ କୋଭିଡ୍‌ ସଂକ୍ରମଣ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି। ଗାଁ ଗୁଡ଼ିକରେ ସ୍ଥିତି ସଂଗୀନ ହେବାରେ ଲାଗିଛି ବୋଲି ଏକ ମାନବ ଅଧିକାର ସଂସ୍ଥା ‘ସଂଶାଧନ ଏବଂ ମହିଳା ବିକାଶ ସଂସ୍ଥାନ’ର ସଂଯୋଜକ ସୁରେଶ କୁମାର କହିଛନ୍ତି। ଗାଁ ଗହଳରେ ଅନେକ ଲୋକ ସତର୍କତା ଅବଲମ୍ବନ କରୁନାହାନ୍ତି କି ସଂକ୍ରମଣର ଲକ୍ଷଣକୁ ବୁଝିପାରୁ ନାହାନ୍ତି। ସଂକ୍ରମଣ ଗୁରୁତର ହେବାପରେ ଅନେକଙ୍କର ମୃତ୍ୟୁ ହୋଇଯାଉଛି। ଗ୍ରାମୀଣ ଅଂଚଳରେ ଟିକାକରଣ ସ୍ଥିତି ମଧ୍ୟ ଅତି ଦୟନୀୟ ସ୍ତରରେ ରହିଛି। ଟିକାକରଣ କେନ୍ଦ୍ରଗୁଡ଼ିକରେ ଅବ୍ୟବସ୍ଥା ମଧ୍ୟ ସମସ୍ୟାକୁ ଜଟିଳ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର