ଦେଶରେ ମନ୍ଥର ହେଉଛି ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ପାର୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନ୍‌କୁ ଇତିମଧ୍ୟରେ ୫୦ ଦିନ ପୂରଣ ହୋଇଛି। କରୋନା ଭୂତାଣୁର ମୁକାବିଲା ପାଇଁ ଏପର୍ଯ୍ୟନ୍ତ ‌ଠୋସ୍ ଭାବେ କୌଣସି ଟିକା କିମ୍ବା ଔଷଧ ବାହାରି ନଥିବାରୁ ଲକ୍‌ଡାଉନ୍, ସାମାଜିକ ଦୂରତା ଆଦି ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଉଛି। କରୋନା ସଂକ୍ରମଣ ହାରକୁ ଦେଖିଲେ ଏହାର ଭଲ ପ୍ରଭାବ ଦେଖିବାକୁ ମିଳୁଛି। ପୂର୍ବରୁ ଦେଶରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେବାକୁ ୧୦ ଦିନ ଲାଗୁଥିବାବେଳେ ଏବେ ଏଥିପାଇଁ ୧୩.୯ ଦିନ ଲାଗୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି।

ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ଅତିକ୍ରମ କରି ୭୮୦୦୩ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨୫୪୯ ଛୁଇଁଛି। ଗତ ୨୪ ଘଣ୍ଠା ମଧ୍ୟରେ ଦେଶରେ ୩୭୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଚଳିତମାସ ଶେଷ ସୁଦ୍ଧା ଦେଶରେ କରୋନା ଭୂତାଣୁ ପାଇଁ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ୧ ଲକ୍ଷ ଛୁଇଁବ ବୋଲି ହର୍ଷବର୍ଦ୍ଧନ ଦୃଢ଼ୋକ୍ତି କରିଛନ୍ତି। ଆଜିସୁଦ୍ଧା ଦେଶରେ କରୋନା ପାଇଁ ନମୁନା ପରୀକ୍ଷା ୨୦ ଲକ୍ଷ ଛୁଇଁବ। ଗତକାଲି ଦେଶରେ ୯୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା। କ୍ରମାଗତଭାବେ ଦେଶରେ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଛି। ଦୈନିକ ୧ ଲକ୍ଷ ନମୁନା ମେ’ ଶେଷ ସୁଦ୍ଧା ହେବ ବୋଲି ପୂର୍ବରୁ ଆମେ କହିଥିଲୁ। କିନ୍ତୁ ତାହା ପୂର୍ବରୁ ଆମେ ଏହି ଲକ୍ଷ୍ୟ ହାସଲ କରିବୁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ତେବେ ଦେଶରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୨୧୯ ଥିବାବେଳେ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୬୨୩୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର