ନୂଆ ଭୂତାଣୁର କ୍ଷିପ୍ରତା ଯୋଗୁଁ ଭାରତରେ ସଂକ୍ରମଣ ଅଣାୟତ୍ତ: ସୌମ୍ୟା ସ୍ବାମୀନାଥନ୍‌

ରୂପାନ୍ତରିତ ପ୍ରଜାତି ଟିକା ସୁରକ୍ଷା ବଳୟକୁ ଭାଙ୍ଗି ଦେଉଛି

ନୂଆଦିଲ୍ଲୀ: ଭାରତରେ ସମ୍ପ୍ରତି ଦେଖାଦେଇଥିବା ଏକ ସ୍ବତନ୍ତ୍ର ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ହିଁ ଦେଶରେ ଏପରି ଦ୍ବିତୀୟ ଲହର ସଂକ୍ରମଣକୁ ବିଭୀଷିକାମୟ କରିପକାଇଛି। ଏହି ଭାରତୀୟ ବା ମହାରାଷ୍ଟ୍ର ପ୍ରଜାତିର ଦ୍ବୈତ ରୂପାନ୍ତରିତ କରୋନାଭୂତାଣୁ ପ୍ରବଳ ମାତ୍ରାରେ ସଂକ୍ରମଣକ୍ଷମ ହେବା ସହ ଏହାର କ୍ଷିପ୍ରତା ଯୋଗୁଁ ଭାରତରେ ଏପରି ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ତଥା ଖ୍ୟାତନାମା ଭାରତୀୟ ଶିଶୁରୋଗ ବିଶେଷଜ୍ଞ ସୌମ୍ୟା ସ୍ବାମିନାଥନ୍‌ କହିଛନ୍ତି। ଗତ ଅକ୍ଟୋବର ମାସରେ ଭାରତରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଏହି ବି.୧.୬୧୭ ନାମକ କରୋନାଭୂତାଣୁ ଦେଶର ଏହି ସାମ୍ପ୍ରତିକ ଦୁର୍ବିପାକ ପାଇଁ ଦାୟୀ ବୋଲି ସେ କହିଛନ୍ତି। ଏବେ ଜାରି ରହିଥିବା ଦ୍ରୁତ ସଂକ୍ରମଣ ପଛରେ ଅନେକ କାରଣ ରହିଥିଲେ ହେଁ ଏହି ଦ୍ବୈତ ରୂପାନ୍ତରିତ ପ୍ରଜାତି ହିଁ ପ୍ରମୁଖ ଭୂମିକା ନିଭାଇଛି। ଅପରପକ୍ଷେ, ଏହା ଟିକା ସୁରକ୍ଷାକୁ ଭେଦ କରି ନିଜର ସଂକ୍ରମଣତା ବଜାୟ ରଖିବାର କ୍ଷମତା ରଖିଥିବାରୁ ବେଶୀ ଘାତକ ସାବ୍ୟସ୍ତ ହୋଇଛି। ଏହାର ଏମିତି କିଛି ରୂପାନ୍ତର ରହିଛି ଯାହା କୋଭିଡ୍‌ ଟିକା ଶରୀରରେ ବିକଶିତ କରୁଥିବା ଆଣ୍ଟିବଡିକୁ ଅକାମୀ କରି ପକାଉଛି।

ଦେଶରେ ଅଧିକ ସଂଖ୍ୟକ ଲୋକ ଅସୁସ୍ଥ ହେବା ବା ମୃତ୍ୟୁମୁଖରେ ପଡ଼ିବା ଯେତିକି ଚିନ୍ତାଜନକ ନୁହେଁ, ଦିନକୁ ଦିନ ସଂକ୍ରମଣ ବଢ଼ିଚାଲିବା ହିଁ ବେଶୀ କ୍ଷତିକାରକ। କାରଣ ସଂକ୍ରମଣର ବ୍ୟାପକତା ଯେତେ ଅଧିକ ହେବ, ଭୂତାଣୁଗୁଡ଼ିକ ସେତେ ଅଧିକ ରୂପାନ୍ତରିତ ହୋଇ ଚାଲିବେ। ପରିଣତି ସ୍ବରୂପ, ଯେଉଁ ଭୂତାଣୁ ଯେତେ ଅଧିକ ସଂଖ୍ୟକ ରୂପାନ୍ତରକୁ ବହନ କରିବ, ତାହା ସେତେ ଟିକାପ୍ରତିରୋଧୀ ହେବ ବା ଆଣ୍ଟିବଡି ସୁରକ୍ଷା ବଳୟ ଭାଙ୍ଗିଚାଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର