ସୋମବାର ୬୮,୦୨୦ ଆକ୍ରାନ୍ତ ଚିହ୍ନଟ: ୧.୨ କୋଟିରେ ପହଞ୍ଚିଲା ସଂକ୍ରମଣ, ୮ ରାଜ୍ୟରୁ ୮୪% ଆକ୍ରାନ୍ତ

ନୂଆଦିଲ୍ଲୀ: ଗତବର୍ଷ ଅକ୍ଟୋବର ମଧ୍ୟଭାଗ ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୬୮,୦୨୦ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏଥିସହ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୨୦ କୋଟିରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୮,୦୨୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୦,୩୯,୬୪୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୯୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୧,୮୪୩ରେ ପହଞ୍ଚିଛି।

ସେହିପରି କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩୨,୨୩୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୧,୧୩,୫୫,୯୯୩କୁ ବୃଦ୍ଧି ପାଇଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୨୧,୮୦୮। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬,୦୫,୩୦,୪୩୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମାର୍ଚ ୨୮ ସୁଦ୍ଧା ସମୁଦାୟ ୨୪,୧୮,୬୪,୧୬୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୯,୧୩,୩୧୯ଟି ନମୁନା।

ନୂଆଦିଲ୍ଲୀ: ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଞ୍ଜାବ ସମେତ ଦେଶର ୮ଟି ରାଜ୍ୟରେ ଦୈନିକ କୋଭିଡ୍‌-୧୯ ମାମଲା ରିପୋର୍ଟରେ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଗୋଟିଏ ଦିନରେ ଦେଶରେ ରେକର୍ଡ ହୋଇଥିବା ୬୮,୦୨୦ଟି ମାମଲା ମଧ୍ୟରୁ ୮୪.୫ ପ୍ରତିଶତ ମାମଲା କେବଳ ଏହି ୮ଟି ରାଜ୍ୟରୁ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଭାରତରେ ମୋଟ ଟିକାକରଣ ଅଦ୍ୟାବଧି ୬ କୋଟି ଅତିକ୍ରମ କରିଛି ବୋଲି ଏଥିରେ କୁହାଯାଇଛି। ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ମାମଲା ଦୈନିକ ସର୍ବାଧିକ ୪୦,୪୧୪କୁ ବୃଦ୍ଧି ପାଇଛି। ଏହା ପଛକୁ କର୍ଣ୍ଣାଟକରେ ୩,୦୮୨, ପଞ୍ଜାବରେ ୨,୮୭୦, ମଧ୍ୟପ୍ରଦେଶରେ ୨,୨୭୬, ଗୁଜୁରାଟରେ ୨,୨୭୦, କେରଳରେ ୨,୨୧୬, ତାମିଲନାଡୁରେ ୨,୧୯୪ ଏବଂ ଛତିଶଗଡରେ ୨,୧୫୩ ମାମଲା ରିପୋର୍ଟ ହୋଇଥିବା ମନ୍ତ୍ରାଳୟ କହିଛି। ଭାରତର ମୋଟ ସକ୍ରିୟ କେସ୍‌ଲୋଡ୍‌ ୫,୨୧,୮୦୮ରେ ପହଞ୍ଚିଛି ଏବଂ ଏହା ମୋଟ ସଂକ୍ରମଣର ୪.୩୩ ପ୍ରତିଶତ ଅଟେ। ଏଥିରେ କୁହାଯାଇଛି ଯେ ପାଞ୍ଚଟି ରାଜ୍ୟ- ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ- ଦେଶର ମୋଟ ସକ୍ରିୟ ମାମଲାର ୮୦.୧୭ ପ୍ରତିଶତ ଅଟେ।

ସମ୍ବନ୍ଧିତ ଖବର