ଦେଶର ୨୭ଟି ଜିଲ୍ଲାରେ ପୁଣି ସଂକ୍ରମଣ ବଢୁଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ କମୁଥିଲେ ବି ବିପଦ ଦୂର ହୋଇନାହିଁ । କାରଣ ଦେଶର ୨୭ଟି ଜିଲ୍ଲାରେ ଗତ ସପ୍ତାହରୁ ସଂକ୍ରମଣ ପୁଣି ବଢିବା ଆରମ୍ଭ କରିଛି । ବିଶ୍ବର ଅନ୍ୟ ଦେଶଗୁଡିକରେ ମଧ୍ୟ ପୁଣି ଥରେ ସଂକ୍ରମଣ ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।
ସେ କହିଛନ୍ତି ଯେ, ଆମେରିକାରେ ଗତ ୧୪ ଦିନରେ ଦୈନିକ ସଂକ୍ରମଣ ସଂଖ୍ୟା ୧.୪ ଗୁଣ ବଢିଛି । ସେହିପରି ଫ୍ରାନ୍ସରେ ଦୈନିକ ସଂକ୍ରମଣ ସଂଖ୍ୟା ୩.୫ ଗୁଣ ବଢିଛି ଓ ଇଟାଲିରେ ୨.୭ ଗୁଣ ବଢିଛି । ଅଲିମ୍ପିକ୍ସ ଖେଳ ହେଉଥିବା ଜାପାନରେ ବି ସଂକ୍ରମଣ ବଢିଛି । ଏଣୁ ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ ।
ଅନ୍ୟପକ୍ଷରେ ଏବେ ମୌସୁମୀ ଋତୁ ଚାଲିଛି । ସାରା ଭାରତରେ ବର୍ଷା ଆରମ୍ଭ ହୋଇଯାଇଛି । ଏହି ଋତୁରେ ମ୍ୟାଲେରିଆ, ଡେଙ୍ଗୁ,ଚିକେନଗୁନିଆ ଆଦି ରୋଗ ବ୍ୟାପିଥାଏ । ଏପରି ସ୍ଥିତିରେ ରୋଗର ପ୍ରକୃତ କାରଣ ନିରୂପଣ କରିବା ଆହୁରି କଷ୍ଟକର ହୋଇପଡ଼େ । ଏଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ଅଗ୍ରଓ୍ବାଲ କହିଛନ୍ତି ।
ସେହିପରି ଦେଶର ୨୭ଟି ଜିଲ୍ଲାରେ ଗତ ସପ୍ତାହରୁ ସଂକ୍ରମଣ ପୁଣି ବଢିବା ଆରମ୍ଭ କରିଛି, ଯାହାକି ଏକ ଚିନ୍ତାର କାରଣ । ଏଥିରୁ ଜଣାପଡ଼ୁଛି ଯେ ଭୁତାଣୁ ଶେଷ ହୋଇନାହିଁ ବୋଲି ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ।

ସମ୍ବନ୍ଧିତ ଖବର