ଆଫ୍ରିକାରେ ବଢ଼ିଲା କରୋନା ସଂକ୍ରମଣ, ମାମଲା ୨ ଲକ୍ଷ ଟପିଲା

ରୁଷ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ଅତି ଭୟଙ୍କର ଭାବେ ଆଫ୍ରିକା ମହାଦେଶରେ ବଢ଼ି ଚାଲିଛି। ଆଫ୍ରିକା‌ରେ ସଂକ୍ରମଣ ମାମଲା ୨ ଲକ୍ଷ ଟପିଯାଇଛି ଏବଂ ପ୍ରାୟ ୭୫ ପ୍ରତିଶତ ମାମଲା ୧୦ ଟି ରାଷ୍ଟ୍ରରୁ ଚିହ୍ନଟ କରାଯାଇଛି। ୫୦୦୦ରୁ ଅଧିକ ଲୋକଙ୍କ ଆଫ୍ରିକାରେ ମୃତ୍ୟୁ ହୋଇଛି। ତେବେ ଆଫ୍ରିକାରେ ସ୍ବାସ୍ଥ୍ୟ ଉପକରଣ ଏବଂ ଟେଷ୍ଟ୍‌ କିଟ୍‌ ଯୋଗାଇବା ଏବେ ଏକ ବଡ଼ ଚ୍ୟାଲେଂଜ ହୋଇଥିବାରୁ ଏଠାରେ ଅଧିକ ଟେ‌ଷ୍ଟ୍‌ କିଟ୍‌ ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍ଓ କହିଛନ୍ତି। ସ୍ବାସ୍ଥ୍ୟ ସୁବିଧା କ୍ଷେତ୍ରରେ ପଛୁଆ ଆଫ୍ରିକାରେ ସଂକ୍ରମଣ ବଢ଼ିଲେ ଅତି ଭୟଙ୍କର ସ୍ଥିତି ଉପୁଯିବ। ଏବେ ଏଠାରେ କୋଭିଡ୍‌ ମୁକାବିଲା ପାଇଁ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ସହାୟତା ଚାହିଁଛି।

ଆଫ୍ରିକାରେ ସ୍ଥିତି ଅଣାୟତ୍ତ ହେଲେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯିବା ଆଶଙ୍କା ରହିଛି। ଅନ୍ୟପକ୍ଷେ ରୁଷ୍‌ରେ ସଂକ୍ରମଣ ମାମଲା ୫ ଲକ୍ଷ ଟପିଯାଇଛି। ରୁଷ୍‌ରେ ୮,୭୭୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨ ହଜାର ୪୩୬ରେ ପହଞ୍ଚିଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୭୫ ହଜାର ଟପିଥିବାବେଳେ ୩୯ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ‌ସେହିପରି ଆମେରିକାରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୧୫ ହଜାର ଟପିଯାଇଛି। ତେବେ ବିଶ୍ବ‌ରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷରେ ପହଞ୍ଚିଯାଇଛି ଏବଂ ୪ ଲକ୍ଷ ୧୯ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ ଇଣ୍ଡୋନେସିଆରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଏହି ଦକ୍ଷିଣ ପୂର୍ବ ଏସୀୟ ଦେଶରେ କରୋନା ଯୋଗୁଁ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ରଏଟର୍ସ ରିପୋର୍ଟରେ କୁହ‌ାଯାଇଛି। ଅନାହାର ଏବଂ ରକ୍ତହୀନତା ପାଇଁ ଅଧିକାଂଶ ଶିଶୁ କରୋନା ଭାଇରସ୍‌ର ଶିକାର ହେଉଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ସରକାରୀ ତଥ୍ୟ ଅନୁଯାୟୀ ଇଣ୍ଡୋନେସିଆରେ ହୋଇଥିବା‌ ୨ ହଜାର ମୃତ୍ୟୁରୁ ୧୮ ବର୍ଷରୁ କମ୍‌ ୨୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର