ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନା ମହାମାରୀ ଦ୍ବାରା ଆମେରିକା ସର୍ବାଧିକ ପ୍ରଭ‌ାବିତ ହୋଇଛି। ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ୨୪ ଲକ୍ଷ ୬୨ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୨୪ ହଜାରରୁ ଅଧିକ ରହିଛି। ଏଭଳି ପରିସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଆମେରିକାକୁ ସତର୍କ କରିଦିଆଯାଇଛି। ଆମେରିକାରେ ଏବେ ବି ସଂକ୍ରମଣ ‌ଶୀର୍ଷରେ ପହଞ୍ଚିନି ବୋଲି ‘ହୁ’ କହିଛି। ‌କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକାରେ ସଂକ୍ରମଣ ଅତି ଦ୍ରୁତ ଗତିରେ ବଢ଼ୁଛି। ତେବେ ଆମେରିକାର ୩ଟି ପ୍ରମୁଖ ଜନବହୁଳ ପ୍ରଦେଶରେ ଏବେ କରୋନା ସଂକ୍ରମଣ ଲଗାତାର ବଢ଼ିଚାଲିଛି। ସେହି ୩ଟି ପ୍ରଦେଶ ହେଲା ଫ୍ଲୋରିଡା, ଟେକ୍ସାସ୍‌ ଏବଂ କାଲିଫର୍ଣ୍ଣିଆ। ଏହି ୩ଟି ପ୍ରଦେଶ ଏବେ ଆମେରିକା ପାଇଁ ମୁଣ୍ଡବିନ୍ଧାର ବଡ଼ କାରଣ ପାଲଟିଛି। ଫ୍ଲୋରିଡ଼ା ଏବଂ ଟେକ୍ସାସ୍‌ରେ ପୁଣି ଦିନକରେ ୫ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଏବଂ କାଲିଫର୍ଣ୍ଣିଆରେ ୭ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

Advertisment

ଟେକ୍ସାସ୍‌ ପ୍ରଦେଶରେ ଯଦି ଏହି ସଂକ୍ରମଣ ମାମଲା ଜାରି ‌ରହେ ତେବେ ହଷ୍ଟନ୍‌ ଆମେରିକାର ସର୍ବାଧିକ କରୋନା ପ୍ରଭାବିତ ସହର‌‌ରେ ପରିଣତ ହେବ। କାଲିଫର୍ଣ୍ଣିଆରେ ଏବେ ୧,୯୫,୯୨୫ଟି ମାମଲା ଚିହ୍ନଟ ହୋଇଥିବାବେଳେ ଟେକ୍ସାସରେ ୧୨୮୧୩୨ ଏବଂ ଫ୍ଲୋରିଡ଼ାରେ ୧୦୯୦୧୪ ମାମଲା ଚିହ୍ନଟ ହୋଇଛି। ଆମେରିକା ଜନଗଣନା ବ୍ୟୁରୋ ତଥ୍ୟ ଅନୁଯାୟୀ ଦେଶର ମୋଟ ଜନସଂଖ୍ୟାରେ ଏହି ୩ଟି ପ୍ରଦେଶର ଜନସଂଖ୍ୟା ପ୍ରାୟ ୨୭.୪ ପ୍ରତିଶତ। ବିଶ୍ବରେ ପ୍ରତି ସପ୍ତାହରେ ୧୦ ଲକ୍ଷ କରୋନା ମାମଲା ଚିହ୍ନଟ ହେଉଛି। କ୍ରମାଗତ ସଂକ୍ରମଣ ବଢ଼ି ଚାଲିଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଏହା ୧ କୋଟି ଟପିଯିବ। ବିଶ୍ବରେ ଏବେ ମୋଟ୍‌ ସଂକ୍ରମଣ ମାମଲା ୯୫ ଲକ୍ଷ ୫୧ ହଜାରରୁ ଅଧିକ ରହିଛି ଏବଂ ୪ ଲକ୍ଷ ୮୫ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଆମେରିକା ପରେ ବ୍ରାଜିଲ୍‌ରେ ସର୍ବାଧିକ ୧୧ ଲକ୍ଷ ୯୨ ହଜାର ୫୭୪ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ପାଖାପାଖି ୫୪ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି।