ଗୁଜରାଟରେ ସଂକ୍ରମଣ ବଢ଼ୁଛି: ୩ ଦିନ ପରେ ଦୈନିକ ସଂକ୍ରମଣ ୧୧ ହଜାର ଉପରେ, ୪୭୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗୁରୁବାର ଦିନ ପାଖାପାଖି ୧୨ ହଜାର କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୩ ଦିନ ପରେ ଦେଶରେ ସଂକ୍ରମଣ ମାମଲା ୧୧,୯୧୯ ରହିଛି। ପୂର୍ବରୁ ଗତ ୧୪ ତାରିଖରେ ଦୈନିକ ସଂକ୍ରମଣ ୧୧,୨୭୧ଥିଲା। ଅନ୍ୟପକ୍ଷେ ଗତ ୧୬ ତାରିଖରେ ଦୈନିକ ସଂକ୍ରମଣ ୮,୮୬୫ ଥିଲା। ୨୮୭ ଦିନରେ ଏହା ସବୁଠାରୁ କମ୍‌। ଗତ ୨୪ ଘଣ୍ଟାରେ ୧୧,୨୪୧ ରୋଗୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ୪୭୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩,୮୮୫,୧୩୨ ଏବଂ ମୃତ୍ୟୁସଂଖ୍ୟା ୪୬୪,୬୨୩ ରହିଛି। ଦେଶରେ ସକ୍ରିୟ ମାମଲା ଏବେ ୧୨୮,୭୬୨ ରହିଥିବା ବେଳେ ଗତବର୍ଷ ମାର୍ଚ୍ଚ ପରେ ଏହା ସବୁଠୁ କମ୍‌ ସକ୍ରିୟ ମାମଲା। ଅନ୍ୟପକ୍ଷେ କୋଭିଡ ଆରୋଗ୍ୟ ହାର ୯୮.୨୮ ପ୍ରତିଶତ ରହିଛି।

ଦେଶରେ ସଂକ୍ରମଣ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୩୭ ପ୍ରତିଶତ। ଦୈନିକ ପଜିଟିଭ୍‌ ହାର ୦.୯୭ ପ୍ରତିଶତ ରହିଛି। ଳଗାତାର ୪୫ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହୁଛି। ଦେଶରେ ଟିକାକରଣ ୧୧୪.୪୬ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ୭୩,୪୪,୭୩୯ ଟିକା ଡୋଜ୍‌ ଦିଆଯାଇଛି। ‌ଦେଶରେ ଟେଷ୍ଟିଂ ମଧ୍ୟ ବଢ଼ିଛି। ଗତ ୨୪ ଘଣ୍ଟାରେ ୧୨,୩୨,୫୦୫ ଟେଷ୍ଟିଂ ହୋଇଥିବା ବେଳେ ମୋଟ୍‌ ଟେଷ୍ଟିଂ ୬୨,୮୨,୪୮,୮୪୧ ପହଞ୍ଚିଛି।

ଗୁଜରାଟରେ ସଂକ୍ରମଣ ବଢ଼ୁଛି
ଅହମଦାବାଦ: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିଛି। ଗତ ୨୪ ଘଣ୍ଟାରେ ଗୁଜରାଟରେ ୫୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୩୧ ଦିନରେ ଏହା ସର୍ବାଧିକ ସଂକ୍ରମଣ ମାମଲା। ଶେ‌ଷ ଥର ପାଇଁ ଗତ ଜୁଲାଇ ୧୦ ତାରିଖରେ ଗୁଜରାଟରେ ସଂକ୍ରମଣ ୫୦ ଉପରେ ଥିଲା। ଗୁଜରାଟରେ ସକ୍ରିୟ ମାମଲା ୨୯୧। ୧୧୪ ଦିନ ପରେ ଏହା ସର୍ବାଧିକ। ଗୁଜରାଟର ମୋଟ୍‌ ସଂକ୍ରମଣ ମାମଲାର ୫୦ ପ୍ରତିଶତରୁ ଅଧିକ ମାମଲା ଅହମଦାବାଦରେ ଚିହ୍ନଟ ହୋଇଛି। ଗତବର୍ଷ ଦିପାବଳୀର ୨ ସପ୍ତାହ ପରେ ଗୁଜରାଟରେ ଯେତିକି ସଂକ୍ରମଣ ବଢ଼ିଥିଲା ଚଳିତ ବର୍ଷ ତାଠାରୁ ଅଧିକ ବଢ଼ିଛି। ଅନୁଶୀଳନରୁ ଏହା ଜଣାପଡ଼ିଛି ଯେ, ଗତବର୍ଷ ଦିପାବଳୀର ୧୪ ଦିନ ପରେ ସଂକ୍ରମଣ ମାମଲାରେ ୪୨ ପ୍ରତିଶତ ବୃଦ୍ଧି ହୋଇଥିଲା। ଦୀପାବଳି ପୂର୍ବରୁ ଦୈନିକ ସଂକ୍ରମଣ ୧୧୨୪ ଥିବାବେଳେ ଦୀପାବଳିର ୧୪ ଦିନ ପରେ ଦୈନିକ ସଂକ୍ରମଣ ୧୫୯୮ଥିଲା। ଏହାଦ୍ବାରା ୪୨ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଥିଲା। କିନ୍ତୁ ଚଳିତ ବର୍ଷ ଦୀପାବଳି ପୂର୍ବରୁ ଗୁଜରାଟରେ ଦୈନିକ ସଂକ୍ରମଣ ୨୯ ଥିବାବେଳେ ଦୀପାବଳି ପର ୨ ସପ୍ତାହ ପରେ ସଂକ୍ରମଣ ମାମଲା ୫୪କୁ ବୃଦ୍ଧି ପାଇଛି। ଚଳିତ ଥର ସଂକ୍ରମଣ ମାମଲାରେ ୮୬ ପ୍ରତିଶତ ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର