ଭାରତରେ ସଂକ୍ରମଣ ବଢ଼ୁଛି, ୧୦.୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେଉଛି

ପୂର୍ବରୁ ୧୨ ଦିନରେ ୨ଗୁଣ ହେଉଥିଲା, ମୃତ୍ୟୁ ହାର ୩.୩%ରେ ସ୍ଥିର

ନୂଆଦିଲ୍ଲୀ: ଦେଶରେ କାରୋନା ଭୂତାଣୁ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହେବାକୁ ୧୨ ଦିନ ଲାଗୁଥିବାବେଳେ ଏବେ ମାତ୍ର ୧୦.୨ ଦିନ‌‌ ଲାଗୁଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ଜଣାପଡ଼ିଛି। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ ଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇରେ ଉକ୍ତ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ହେବାକୁ ମାତ୍ର ୯.୮ ଦିନ ଲାଗୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତହାରରେ ବୃଦ୍ଧି ପାଉଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଲବ ଅଗ୍ରୱାଲ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ତେବେ ମୃତ୍ୟୁ ହାର ୩.୩ ପ୍ରତିଶତରେ ସ୍ଥିର ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳ ସୁଦ୍ଧା ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୫୬,୩୪୨କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ଏହି ରୋଗରେ ୧୮୮୬ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦୋରେ ୩୩୯୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୨୭୩ ଜଣ ସୁସ୍ଥ ହୋଇଥିବା କୁହାଯାଇଛି।

ଏପ୍ରିଲ ୩୦ ତାରିଖରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ଲାଗି ୧୧ ଦିନ ଲାଗୁଥିଲା। କିନ୍ତୁ ଲକ୍‌ଡାଉନ୍‌ ପୂର୍ବରୁ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ହେବାକୁ ୩.୪ ଦିନ ଲାଗୁଥିଲା। ତେଣୁ ‌କରୋନା ରୋଗୀଙ୍କ ବୃଦ୍ଧି ହାର ଲକ୍‌ଡାଉନ୍ ଯୋଗୁଁ କମିଥିବା ବିଷୟ ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଥିଲା। ଶ୍ରୀ ଅଗ୍ରୱାଲ ଏହା ମଧ୍ୟ କହିଥିଲେ, କୋଭିଡ-୧୯ ବୃଦ୍ଧିର ଜାତୀୟ ହାର ତୁଳନାରେ ୧୬ଟି ରାଜ୍ୟରେ ସ୍ଥିତି ଭଲ ରହିଛି। ହିମାଚଳ ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ପାଇଁ ସର୍ବାଧିକ ୧୯.୧ ଦିନ ଲାଗୁଥିବା ବେଳେ ଦିଲ୍ଲୀରେ ସର୍ବନିମ୍ନ ୧୧.୩ ଦିନ ଲାଗୁଥିଲା। ଏପ୍ରିଲ ୩୦ରେ ୭ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ଲାଗି ୧୧ ଦିନରୁ ୨୦ ଦିନ ସମୟ ଲାଗୁଥିଲା। ଦିଲ୍ଲୀରେ ୧୧.୩ ଦିନ, ଉତ୍ତରପ୍ରଦେଶରେ ୧୨ ଦିନ, ଜମ୍ମୁ-କାଶ୍ମୀରରେ ୧୨.୨ ଦିନ, ଓଡ଼ିଶାରେ ୧୩ ଦିନ, ରାଜସ୍ଥାନରେ ୧୭.୮ ଦିନ, ତାମିଲନାଡ଼ୁରେ ୧୯.୧ ଦିନ ଓ ପଂଜାବରେ ୧୯.୫ ଦିନ ଲାଗୁଥିଲା। ଏତଦ୍‌ବ୍ୟତୀତ ଅନ୍ୟ ୫ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ଲାଗି ୨୦ରୁ ୪୦ ଦିନ ଲାଗୁଥିଲା। ସେହି ରାଜ୍ୟଗୁଡ଼ିକ ହେଲେ କର୍ଣାଟକ (୨୧.୪ ଦିନ), ଲଦାଖ (୨୪.୨ ଦିନ), ହରିୟାଣା (୨୪.୪ ଦିନ), ଉତ୍ତରାଖଣ୍ଡ (୩୦.୩ ଦିନ) ଓ କେରଳ ୩୭.୫ ଦିନ)।

‌ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରଦାନ କରାଯାଇଥିବା ତଥ୍ୟରେ କୁହାଯାଇଛି ବର୍ତ୍ତମାନ ସୁଦ୍ଧା ଦେଶର ୨୧୬ ଜିଲ୍ଲା‌ରେ କେହି କରୋନା ଆକ୍ରାନ୍ତ ବାହାରି ନାହାନ୍ତି। ଅତିକମ୍‌ରେ ୪୨ଟି ଜିଲ୍ଲାରେ ଗତ ୨୮ ଦିନ ମଧ୍ୟରେ ଗୋଟିଏ ହେ‌ଲେ ନୂଆ ଆକ୍ରାନ୍ତ ବାହାରି ନାହାନ୍ତି। ସେହିଭଳି ଗତ ୨୧ ଦିନ ହେଲା ୨୯ଟି ଜିଲ୍ଲାରେ, ଗତ ୧୪ ଦିନ ହେଲା ୩୬ଟି ଜିଲ୍ଲାରେ ଏବଂ ଗତ ୭ ଦିନ ହେଲା ୪୬ଟି ଜିଲ୍ଲାରେ ଜଣେ ହେଲେ ନୂଆ ଆକ୍ରାନ୍ତ ବାହାରି ନାହାନ୍ତି। ଦେଶରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅବରୋଧ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ହେବ। ବିଶେଷକରି ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଏହାକୁ କଡ଼ାକଡ଼ି କରିବାକୁ ହେବ।

ସମ୍ବନ୍ଧିତ ଖବର