ନୂଆଦିଲ୍ଲୀ: ଦେଶରେ କରୋନା ପୁନଃ ସଂକ୍ରମଣ ସଂଖ୍ୟା ତଥା ଆର୍‌ ଭାଲ୍ୟୁ ସ୍ଥିର ରହିଛି। ଏଠାରେ ‘ଆର୍‌’ର ଅର୍ଥ ହେଉଛି ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ହାରାହାରି କେତେ ଜଣ ସଂକ୍ରମିତ ହେଉଛନ୍ତି। ମହାମାରୀ ଶେଷ ପର୍ଯ୍ୟାୟରେ ଆର୍‌ ୧ ତଳେ ରହିବା ଉଚିତ। ତେବେ ଗତ କିଛି ସପ୍ତାହ ଧରି ଦେଶରେ ଆର୍‌ ଭାଲ୍ୟୁ ସ୍ଥିର ରହିଛି। ଦେଶରେ ଆର୍‌ ଭାଲ୍ୟୁ ଏବେ ୦.୯୪ ରହିଛି। କିନ୍ତୁ କିଛି ରାଜ୍ୟ ଏବଂ ପ୍ରମୁଖ ସହରମାନଙ୍କରେ ଆର୍‌ ସ୍ଥିର ନାହିଁ। ଗତ ସପ୍ତାହରେ କିଛି ରାଜ୍ୟରେ ଆର୍‌ ଭାଲ୍ୟୁ ୧ ଉପରେ ଥିଲା। କର୍ଣ୍ଣାଟକରେ ଗତ ସପ୍ତାହରେ ସର୍ବାଧିକ ଆର୍‌ ଭାଲ୍ୟୁ (୧.୧୨) ଥିବାବେଳେ ଚଳିତ ସପ୍ତାହରେ ଏହା ୦.୯୭ ରହିଛି। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରରେ ଆର୍‌ ଭାଲ୍ୟୁ ଗତ ସପ୍ତାହରେ ୧.୦୮ ଥିବାବେଳେ ଚଳିତ ସପ୍ତାହରେ ଏହା ୦.୮୪ ରହିଛି।

Advertisment

ତେଲେଙ୍ଗାନାରେ ଗତ ସପ୍ତାହରେ ଆର୍‌ ଭାଲ୍ୟୁ ୧.୦୫ ଥିବାବେଳେ ଚଳିତ ସପ୍ତାହରେ ଏହା ୦.୯୮ ରହିଛି। ଓଡ଼ିଶାରେ ଆର୍‌ ଭାଲ୍ୟୁ ୦.୭୮ରୁ ୦.୮୩ କୁ ବୃ୍ଦ୍ଧି ପାଇଛି। ଆନ୍ଧ୍ରପ୍ରଦେଶରେ ଆର୍‌ ଭାଲ୍ୟୁ ୦.୮୪ରୁ ୦.୯୧ କୁ ବଢ଼ିଛି। ମିଜୋରାମରେ ଆର୍‌ ଭାଲ୍ୟୁ ୦.୮୯କୁ ୦.୯୧କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ଆର୍‌ ଭାଲ୍ୟୁ ଗତ ସପ୍ତାହରେ ୦.୯୮ ଥିବାବେଳେ ଚଳିତ ସପ୍ତାହରେ ୦.୯୯ ରହିଛି। ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଆର୍‌ ୦.୯୭ ରହିଛି। ଅଧିକ ସକ୍ରିୟ ମାମଲା ଥିବା ଅନ୍ୟ ସମସ୍ତ ରାଜ୍ୟମାନଙ୍କରେ ଆର୍‌ ଭାଲ୍ୟୁ ୧ ଉପରେ ରହିଛି। ସେହିପରି ପ୍ରମୁଖ ସହରମାନଙ୍କ‌ରେ ଆର୍‌ ଭାଲ୍ୟୁ ବଢ଼ିଛି।

ଡିସେମ୍ବର ୪ ସୁଦ୍ଧା ଦିଲ୍ଲୀରେ ଆର୍‌ ୦.୮୯ ଥିବାବେଳେ ଗତ ସପ୍ତାହରେ ଏହା ୧.୨୬ରହିଛି। କିନ୍ତୁ ଚଳିତ ସପ୍ତାହରେ ଦିଲ୍ଲୀରେ ଆର୍‌ ଭାଲ୍ୟୁ ୧.୧୨ ରହିଛି। ପୁନେରେ ମଧ୍ୟ ଆର୍‌ ଭାଲ୍ୟୁ ୧.୧୨ ରହିଛି। ଗତ ସପ୍ତାହରେ ପୁନେରେ ଆର୍‌ ଭାଲ୍ୟୁ ୧.୧୩ ଥିଲା। ମୁମ୍ବାଇରେ ଆର୍‌ ଭାଲ୍ୟୁ ୧.୧୦ ରହିଛି। ଗତ ସପ୍ତାହ ପରି ଚଳିତ ସପ୍ତାହରେ ମୁମ୍ବାଇରେ ଆର୍‌ ଭାଲ୍ୟୁ ସମାନ ରହିଛି। ଉଭୟ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ଗତ ସପ୍ତାହରେ ଆର୍‌ ଭାଲ୍ୟୁ ୧.୦୪ ଥିଲା। ବେଙ୍ଗାଲୁରୁର ଆର୍‌ ୧.୦୭କୁ ବୃଦ୍ଧି ପାଇଛି। ଦିଲ୍ଲୀ ସମେତ ବିଭିନ୍ନ ସହରର ସ୍ଥିତି ଅନୁଧ୍ୟାନରୁ ଏହା ତୃତୀୟ ଲହରର ସଙ୍କେତ ବୋଲି କେତେକ ବିଶେଷଜ୍ଞ ମତ ରଖିଛନ୍ତି।