ନୂଆଦିଲ୍ଲୀ: କରୋନାର ଅତି ଦ୍ରୁତ ସଂକ୍ରମଣ ଏବେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଜାରି ରହିଥିବା ଦେଖିବାକୁ ମିଳିଛି। ଏହି ତିନି ସହରରେ ଯେଉଁ ହାରରେ ସଂକ୍ରମଣ ବଢ଼ୁଛି ତାହା ତୃତୀୟ ଲହର ଆରମ୍ଭର ସଙ୍କେତ ବୋଲି କୁହାଯାଉଛି। ଆଜି ଦିଲ୍ଲୀରେ ୩୧୯୪ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୁମ୍ବାଇରେ ୮ ହଜାରରୁ ଅଧିକ ମାମଲା ଏବଂ କୋଲକାତାରେ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ବିଗତ ୮ ଦିନ ମଧ୍ୟରେ ଏହି ତିନି ସହରରେ ହୋଇଥିବା ନୂଆ ସଂକ୍ରମଣର ଏକ ଆକଳନରୁ ଜଣାପଡ଼ିଛି ଯେ ୨୫ରୁ ୨୯ ଆୟୁବର୍ଗର ଅଧିକାଂଶ ସଂକ୍ରମିତ ହେଉଛନ୍ତି। ପ୍ରଥମ ଲହରରେ ୫୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକେ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ୩୫ରୁ ୪୦ ବର୍ଷର ଲୋକେ ଅଧିକ ସଂଖ୍ୟାରେ ପ୍ରଭାବିତ ହୋଇଥିଲେ। ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଭୟ ସୃଷ୍ଟି କରିଛି। ସଂକ୍ରମଣ ହାର ୪.୫୯ ପ୍ରତିଶତରେ ପହଞ୍ଚି ଥିବାରୁ ଆଗକୁ ଏହା ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଆଜି କେରଳରେ ପ୍ରାୟ ୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଟେଷ୍ଟିଂ ଓ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ମୁମ୍ବାଇରେ ଦ୍ରୁତ ସଂକ୍ରମଣ ଜାରି ରହିଛି ଏବଂ ଯୁବ ବର୍ଗରୁ ଅଧିକାଂଶ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ମୁମ୍ବାଇରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଯୁଦ୍ଧସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି।
ଦିଲ୍ଲୀରେ ୟେଲୋ ଆଲର୍ଟ ସତ୍ତ୍ବେ ସଂକ୍ରମଣ ଦ୍ରୁତ ହେଉଥିବାରୁ ଆଗକୁ ଲକ୍ଡାଉନ୍ ଭଳି ସ୍ଥିତି ଆସିବ ବୋଲି ଅନୁମାନ କରାଯାଉଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଓମିକ୍ରନ ସଂକ୍ରମଣ ବ୍ୟାପକ ହେଉଥିଲେ ମଧ୍ୟ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁନାହିଁ। ତେଣୁ ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କର୍ଣ୍ଣାଟକରେ ଆଜି ୧୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ବେଙ୍ଗାଲୁରେ ୮୧୦ ମାମଲା ଚିହ୍ନଟ ହୋଇଛି ଏବଂ ବିଗତ ୬ ମାସରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି।