ହାଇଦ୍ରାବାଦ୍‌: ଗାଁକୁ ସଂକ୍ରମଣମୁକ୍ତ ରଖିବାପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଥିଲେ । ତେବେ ବିଭିନ୍ନ କାରଣ ପାଇଁ ଏବେ ଦେଶର ଶତାଧିକ ଗାଁରେ ସଂକ୍ରମଣ ବଢ଼ିଛି। ପ୍ରବାସୀଙ୍କ ପାଇଁ ବିଭିନ୍ନ ଗ୍ରାମରେ ହଠାତ୍‌ ସଂକ୍ରମଣ ବଢ଼ିଯାଇଛି। କିଛି ଗ୍ରାମ ମଧ୍ୟ ଭାଇରସ୍‌ର ହଟ୍‌ସ୍ପଟ୍‌ ପାଲଟିଛି। ଆନ୍ଧ୍ରପ୍ରଦେଶର ଏକ ଗ୍ରାମ ଏବେ ଦେଶର ପ୍ରଥମ ଗ୍ରାମ ଭାବେ ଭାଇରସ୍‌ର ହଟ୍‌ସ୍ପଟ୍‌ ପାଲଟିଛି। କାକିନଡ଼ାଠାରୁ ୨୦ କିମି ଦୂରରେ ଅବସ୍ଥିତ ଗୋଲ୍ଲଲା ମମିଦାଦା ଗ୍ରାମ। ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ଏହି ଗ୍ରାମରେ ୧୧୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପ୍ରୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ୫,୦୦୦ ପରିବାର ଅଛନ୍ତି। ସମସ୍ତେ କୃଷି ଉପରେ ନିର୍ଭରଶୀଳ। ‌ତେବେ ଗ୍ରାମରେ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କର ଗତ ମେ’ ୨୦ ତାରିଖରେ ମୃତ୍ୟୁ ହୋଇଥିଲା। ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

Advertisment

ଉକ୍ତ ବ୍ୟକ୍ତି ଜଣଙ୍କ ଏକ ହୋଟେଲ୍‌ରେ କାର୍ଯ୍ୟରତ ଥିଲେ ଏବଂ ସେ ଜଣେ ଫଟୋଗ୍ରାଫର ମଧ୍ୟ। ତେବେ ସେ ହିଁ ତାଙ୍କ ଗ୍ରାମରେ ଅନ୍ୟ ୧୧୬ ଜଣଙ୍କୁ ସଂକ୍ରମିତ କରିଛନ୍ତି। ଏହି ସୁପରସ୍ପ୍ରେଡରଙ୍କ ଦ୍ବାରା ନିକଟସ୍ଥ ଗ୍ରାମରେ ୧୫୦ରୁ ଅଧିକ ଲୋକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ମମିଦାଦା ଗ୍ରାମକୁ ଏବେ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଗ୍ରାମରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ପ୍ରତିଷ୍ଠା ହୋଇଛି। ଏହା ୨୪ ଘଣ୍ଟା କାମ କରୁଛି। ବୁଧବାର ସୁଦ୍ଧା ଉକ୍ତ ଗ୍ରାମରେ ୩ ହଜାର ୫୭୧ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ତେବେ ଉପରୋକ୍ତ ଗ୍ରାମ ନିକଟରେ ଥିବା ମଣ୍ଡଳଗୁଡ଼ିକରେ ସଂକ୍ରମଣ ବଢ଼ିବାପରେ ସମଗ୍ର ପୂର୍ବ ଗୋାଦାବରୀରେ ୩୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ତେବେ ଅଧିକ ଲୋକଙ୍କୁ ରୋଗ ନ ବ୍ୟାପିବାପାଇଁ ପ୍ରୟାସ ଜାରି ରହିଛି ।