ମୁମ୍ବାଇ : ମହାରାଷ୍ଟ୍ରରେ ଅଧିକରୁ ଅଧିକ ଜିଲ୍ଲାରେ ସଂକ୍ରମଣ ବଢ଼ିଛି। ମହାରାଷ୍ଟ୍ରର ୩୬ ଜିଲ୍ଲାରୁ ୨୮ଟି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ମାମଲା ବଢ଼ିଯାଇଛି। ଗତ ୧୦ ଦିନ ତଳେ ମହାରାଷ୍ଟ୍ରରେ ୨୧ଟି ଜିଲ୍ଲାରେ ସକ୍ରିୟ ମାମଲା ଅଧିକ ଥିଲା କିନ୍ତୁ ଗତ ସପ୍ତାହରେ ଆହୁରି ଅଧିକ ୭ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଛି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ବିଦର୍ଭର ଅମରାବତୀ, ଅକୋଲା, ବୁଲ୍ଧନା, ୟବତମାଲ୍ ଏବଂ ନାଗପୁର ନୂଆ କୋଭିଡ୍ ହଟ୍ସ୍ପଟ୍ ହୋଇଛି ଏବଂ ଉପରୋକ୍ତ ଜିଲ୍ଲାମାନଙ୍କରେ ସକ୍ରିୟ ମାମଲା ଲଗାତାର ଭାବେ ବଢ଼ୁଛି। ସଂକ୍ରମଣ ବଢ଼ିବାରୁ ଅମରାବତୀ ଏବଂ ଅଚଲପୁରରେ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବଢ଼ାଇ ଦିଆଯାଇଛି। ଫେବ୍ରୁଆରି ୨୧ରୁ ମହାରାଷ୍ଟ୍ରର ଅମରାବତୀ ଏବଂ ଅଚଲପୁର ସହରରେ ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହୋଇଥିଲା। ଲକ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନଗୁଡ଼ିକ ଖୋଲା ରହିବ ଏବଂ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ।
ଫେବ୍ରୁଆରି ସଂକ୍ରମଣ ବୃଦ୍ଧି ପାଇଁ ବିଦର୍ଭ ଏପିସେଣ୍ଟର ହୋଇଥିବା ବେଳେ ପୁନେ ଏବଂ ନାଗପୁରରେ ମଧ୍ୟ ସକ୍ରିୟ ମାମଲା ଅଧିକ ରହିଛି। ତେବେ ଅମରାବତୀର ସାପ୍ତାହିକ ପଜିଟିଭ୍ ହାର ରାଜ୍ୟରେ ସର୍ବାଧିକ ରହିଛି। ରାଜ୍ୟରେ ମୋଟ୍ ସକ୍ରିୟ ମାମଲାର ପ୍ରାୟ ୬୫ ପ୍ରତିଶତ ୫ଟି ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛି। ଶୁକ୍ରବାର ମହାରାଷ୍ଟ୍ରରେ ୮,୩୩୩ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ୨୧,୩୮,୧୫୪ରେ ପହଞ୍ଚିଛି। ମୁମ୍ବାଇରେ ୧,୦୩୪ ନୁଆ ମାମଲା ଚିହ୍ନଟ ହେବା ସହ ମୁମ୍ବାଇ ସହରର ସକ୍ରିୟ ମାମଲା ୯,୩୧୫ କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଦେଶରେ ଗତକାଲି ୧୬,୪୮୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୩ ଜଣଙ୍କ ମୃତ୍ୟୁ ହୋଇଛି।
ସଂକ୍ରମଣ ବୃଦ୍ଧି ପଛରେ ବେଲଗାମ ସମାବେଶ: ବିଶେଷଜ୍ଞ
ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା ଦେଶରେ ଅହେତୁକ ବଢ଼ିଚାଲିଥିବା କୋଭିଡ୍-୧୯ ସଂକ୍ରମଣ ଭୂତାଣୁ ବିଶେଷଜ୍ଞ ଓ ଚିକିତ୍ସା ବିଜ୍ଞାନୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅପରପକ୍ଷେ, ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଆବିର୍ଭୂତ ନୂଆ ପ୍ରଜାତିର ରୂପାନ୍ତରିତ ସାର୍ସ-କୋଭ୍-୨ ମାମଲା ମଧ୍ୟ ଭାରତରେ ଟିହ୍ନଟ ହୋଇଥିବା ବେଳେ ସେଥିଯୋଗୁଁ ଏଭଳି ସଦ୍ୟ ସଂକ୍ରମଣ ବଢ଼ିଚାଲିଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏହି ଭୂତାଣୁମାନେ ଏପରି ରୂପାନ୍ତରିତ ହେବା ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଥିବା ବେଳେ ଭାରତରେ ଦେଖାଦେଇଥିବା ଏହି ସଦ୍ୟ ସଂକ୍ରମଣ ବୃଦ୍ଧି ପଛରେ ତାହାର ଭୂମିକା ଥିବାର କୌଣସି ପ୍ରମାଣ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅପରପକ୍ଷେ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଚିନ୍ତା ବଢ଼ାଇଥିବା ଏହି ସଂକ୍ରମଣ ପଛରେ ଜନସାଧାରଣଙ୍କ ସାମାଜିକ ସମାବେଶକୁ ସେମାନେ ଦାୟୀ କରିଛନ୍ତି। ସେହିପରି ଆମ ଦେଶରେ ସେପରି କୌଣସି ଭାରତ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଆବିର୍ଭୂତ ହୋଇନାହିଁ ବୋଲି କର୍ଣ୍ଣାଟକ ସରକାରଙ୍କ ସାର୍ସ-କୋଭ୍-୨ ଆନୁବଂଶିକ ପୁଷ୍ଟୀକରଣ ନୋଡାଲ୍ ଅଧିକାରୀ ଡା. ଭି ରବି କହିଛନ୍ତି। ଆମ ଦେଶରେ ଉଭୟ ୪୪୦ ଓ ୪୮୪ ନାମକ ପ୍ରଜାତିର କରୋନାଭୂତାଣୁ ମିଳିଛନ୍ତି, ତେବେ ତାହା ଲକ୍ଡାଉନ ପରଠାରୁ ରହିଛନ୍ତି। ଦେଶରେ ଅଧିକ ସଂକ୍ରମଣଶୀଳ କରୋନାଭୂତାଣୁ ଅଦ୍ୟାବଧି ଦେଖାଯାଇନାହାନ୍ତି ବୋଲି ସେ କହିଛନ୍ତି। ସମ୍ପ୍ରତି ଦେଖାଦେଇଥିବା ସଂକ୍ରମଣ କେବଳ ଆମର ଅସର୍କତା ଯୋଗୁଁ ବେଲଗାମ ସମାବେଶ ଯୋଗୁଁ ହୋଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Lockdown.jpeg)