ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବେ ବି ସାଧାରଣ ସ୍ତରରେ ରହିଛି। ଦେଶରେ ଏବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଗକୁ ବିପଦ ବହୁତ ବଢ଼ିବ ଏବଂ ସଂକ୍ରମଣ ବିସ୍ଫୋରକ ରୂପ ନେଇପାରେ ବୋଲି 'ହୁ' (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ର ବିଶେଷଜ୍ଞମାନେ କହିଛନ୍ତି। 'ହୁ'ର ସ୍ବାସ୍ଥ୍ୟ ଏମେର୍ଜନ୍ସି ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ମାଇକେଲ୍ ରୢାନ୍ କହିଛନ୍ତି, ଦେଶରେ ଏବେ କରୋନା ମାମଲା ଦ୍ବିଗୁଣା ହେବାପାଇଁ ୩ ସପ୍ତାହ ଲାଗୁଛି। ଏହାର ଅର୍ଥ ଏବେ ବି ଦେଶରେ ସେମିତି ବିପଜ୍ଜନକ ସ୍ଥିତି ଉପୁଜି ନାହିଁ।। କିନ୍ତୁ ଆଗକୁ ଏହା ଅତି ଭୟଙ୍କର ରୂପ ନେବା ଆଶଙ୍କା ରହିଛି ବୋଲି ରୢାନ୍ କହିଛନ୍ତି। ଲକ୍ଡାଉନ୍ ପାଇଁ ଦେଶରେ ସଂକ୍ରମଣ ମନ୍ଥର ହୋଇଛି କିନ୍ତୁ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ହଠାତ୍ ସଂକ୍ରମଣ ବଢ଼ିଯାଇପାରେ। ଦେଶରେ ଅଧିକ ସଂଖ୍ୟକ ପ୍ରବାସୀ ଅଛନ୍ତି। ସହରାଞ୍ଚଳରେ ଜନସଂଖ୍ୟା ଅଧିକ ଏବଂ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନେକ କର୍ମଚାରୀ ପ୍ରତିଦିନ କାମକୁ ଯାଉଛନ୍ତି। ଏହାଦ୍ବାରା ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବାର ଭୟ ରହିଛି।
ଅନ୍ୟପକ୍ଷେ 'ହୁ'ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ଏବେ ମାମଲା ୨ ଲକ୍ଷ ଟପିଯାଇଛି। ଏହା ଖୁବ୍ ଅଧିକ ଲାଗୁଛି କିନ୍ତୁ ମାମଲା ଏବେ ବି ଭାରତ ପାଇଁ ପୂରା ମାମୁଲି। ତେବେ ଭାରତରେ ଏବେ ସଂକ୍ରମଣ ବୃଦ୍ଧି ହାର ଏବଂ ଦ୍ବିଗୁଣା ହେବା ହାରକୁ ଭଲଭାବେ ଟ୍ରାକ୍ କରିବାକୁ ପଡ଼ିବ। ସେ କହିଛନ୍ତି, ଭାରତ ଏକ ବିଶାଳ ରାଷ୍ଟ୍ର। ସହରାଞ୍ଚଳରେ ଅଧିକ ଲୋକ ବସବାସ କରୁଥିବା ବେଳେ ଗ୍ରାମାଞ୍ଚଳରେ କମ୍ ଲୋକ ବସବାସ କରନ୍ତି। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟ ପଦ୍ଧତି ଭିନ୍ନ ଥିବାରୁ କୋଭିଡ୍ ନିୟନ୍ତ୍ରଣ ଦିଗରେ ଏହା ଏକ ନୂଆ ଚ୍ୟାଲେଂଜ ହୋଇଛି। ସ୍ବାମୀନାଥନ କହିଛନ୍ତି, କଟକଣା କୋହଳ କରାଯାଇଥିଲେ ମଧ୍ୟ ଲୋକମାନଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ।