ଦେଶରେ ସଂକ୍ରମଣ କମୁଛି, ବଢ଼ୁଛି ସୁସ୍ଥ ସଂଖ୍ୟା: ସଂକ୍ରମଣ ୪ ସପ୍ତାହରେ ସର୍ବନିମ୍ନ, ୨୪ ଘଣ୍ଟାରେ ୨.୬ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମି ଆସିବା ଯେତିକି ଆଶ୍ବସ୍ତିର ବିଷୟ ହୋଇଛି, ଦୈନିକ ମୃତକଙ୍କ ସଂଖ୍ୟା ବଢ଼ି ଚାଲିବା ସେତିକି ଚିନ୍ତାର ବିଷୟ ହୋଇଛି। ଲଗାତାର ୪ ଦିନ ଧରି ମୃତକଙ୍କ ସଂଖ୍ୟା ୪ ହଜାର ଉପରେ ରହିବା ପରେ ଆଜି ସର୍ବକାଳୀନ ରେକର୍ଡ କରିଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ଭିତରେ ଦେଶରେ ୪,୩୨୯ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୨,୭୮,୭୧୯ରେ ପହଞ୍ଚିଛି। ଅପରପକ୍ଷେ, ଏହି ଦିନକ ଭିତରେ ସର୍ବାଧିକ ୪,୨୨,୪୩୬ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଦେଶରେ ମୋଟ ୨,୧୫,୯୬,୫୧୨ ଜଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି।

ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୬୩,୫୩୩ ଜଣ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଛି ଯାହା କି ଗତ ୪ ସପ୍ତାହ ଭିତରେ ସର୍ବନିମ୍ନ ବୋଲି ଜଣାଯାଇଛି। ପୂର୍ବରୁ ଗତ ଏପ୍ରିଲ ୨୦ ତାରିଖରେ ଏଇ ୨୮ ଦିନ ଭିତରର ସର୍ବନିମ୍ନ ୨,୫୯,୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସୋମବାରର ସଂଖ୍ୟାକୁ ମିଶାଇ ଦେଶରେ ମୋଟ ୨,୫୨,୨୮,୯୯୬ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ସ୍ପଷ୍ଟ ହୋଇଛି।

ତେବେ ଆଉ ଏକ ଆଶ୍ବସ୍ତିର ବିଷୟ, ଲଗାତାର ପଞ୍ଚମ ଦିନ ପାଇଁ ନୂତନ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ପୀଡ଼ିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାର ୮୫.୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ମାମଲା ଲଗାତାର ଦ୍ବିତୀୟ ଦିନ ପାଇଁ ଲକ୍ଷେରୁ ଅଧିକ କମିଆସିଛି। ତେବେ ଅଦ୍ୟାବଧି ଦେଶରେ ୩୩,୫୩,୭୬୫ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି। ଅପରପକ୍ଷେ, ଗତ ୨୪ ଘଣ୍ଟା ଭିତରେ ୧୮.୬୯ ଲକ୍ଷ ନମୁନା ପରୀକ୍ଷଣ ହେବା ସହ ପଜିଟିଭିଟି ହାରରେ ଉନ୍ନତି ଘଟି ୧୪.୧ ପ୍ରତିଶତ ହୋଇଛି। ପୂର୍ବଦିନ ଏହି ହାର ୧୭.୯ ପ୍ରତିଶତ ରହିଥିଲା।

ସମ୍ବନ୍ଧିତ ଖବର