ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହରର ଦୈନିକ ସଂକ୍ରମଣ ଲଗାତାର ନବମ ଦିନ ପାଇଁ ୩ ଲକ୍ଷ ତଳକୁ କମି କମି ଆସିବା ସହ ଦୀର୍ଘ ୪୦ ଦିନ ପରେ ସୋମବାର ଏହା ୨ ଲକ୍ଷ ତଳକୁ ଖସି ଆସିଛି। ପୂର୍ବଦିନ(ରବିବାର) ତାହା ୨.୨ ଲକ୍ଷରୁ ଟିକେ ଅଧିକ ରହିଥିଲା। ଏଥି ସହିତ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ କମ୍ ସଂକ୍ରମିତ ଚିହ୍ନଟ ହେଉଥିବାରୁ ମହାମାରୀର ପ୍ରାଦୁର୍ଭାବ ଫିକା ହୋଇ ଆସୁଥିବା ଅନୁମାନ କରାଯାଉଛି।
ସେହିପରି ନୂତନ ସଂକ୍ରମିତଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ସଂଖ୍ୟାରେ ଆରୋଗ୍ୟଲାଭ କରିବା ମଧ୍ୟ ଖୁସି ଖବର ଆଣିଚାଲିଛି। ତେବେ ଦୈନିକ ମୃତକଙ୍କ ସଂଖ୍ୟା ଯଦିଓ ସାଢ଼େ ୩ ହଜାର ପାଖକୁ ଖସି ଆସିଛି, ତଥାପି ଏତେ ସଂଖ୍ୟାରେ ପୀଡ଼ିତ ମୃତ୍ୟୁମୁଖରେ ପଡ଼ିବା ଘଟଣା ସଂକ୍ରମଣର ଭୟାବହତା ଜାରି ରହିଥିବା ସଂକେତ କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଦେଶରେ ବିଗତ ୨୪ ଘଣ୍ଟା ଭିତରେ ୧,୯୬,୪୨୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ମୋଟ ୨,୬୯,୪୮,୮୭୪ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗତ ଏପ୍ରିଲ ୧୫ ତାରିଖରେ ହିଁ ଦୈନିକ ସଂକ୍ରମଣ ୨ ଲକ୍ଷ ସୀମା ଡେଇଁଥିଲା। ସୋମବାରର ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୪,୮୬୭ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକରେ ୨୫,୩୧୧ ଜଣ, ମହାରାଷ୍ଟ୍ରରେ ୨୨,୧୨୨ ଜଣ, ପଶ୍ଚିମବଙ୍ଗରେ ୧୭,୮୮୩ ଓ କେରଳରେ ୧୭,୮୨୧ ଜଣ ସଂକ୍ରମିତ ବାହାରିଛନ୍ତି। ଏହି ୫ଟି ରାଜ୍ୟରେ ହିଁ ଦେଶର ୬୦.୦୭ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗ ପ୍ରଥମ ଥର ଲାଗି ଦେଶର ଶୀର୍ଷ ସଂକ୍ରମିତ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି।
ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୫୧୧ ଜଣ କୋଭିଡ୍ ପୀଡ଼ିତଙ୍କର ମୃତ୍ୟୁ ହେବା ସହ ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୦୭,୨୩୧ରେ ପହଞ୍ଚିଛି। ତେବେ ମୋଟ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ଅବଶ୍ୟ ଗତ ଦୁଇ ଦିନ ହେଲା ୧.୧୪ ପ୍ରତିଶତ ପରି ନିମ୍ନ ସ୍ତରରେ ସ୍ଥିର ରହିଛି। ଏହି ସଦ୍ୟ ମୃତକଙ୍କ ଭିତରେ ମହାରାଷ୍ଟ୍ରରେ ସର୍ବାଧିକ ୫୯୨ ଜଣ ଓ ତାହଗା ପଛକୁ କର୍ଣ୍ଣାଟକର ୫୨୯ ଜଣ ରହିଛନ୍ତି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୨୬,୮୫୦ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୪୦,୫୪,୮୬୧ ଜଣ ସୁସ୍ଥ ହୋଇଛନ୍ତି। ତଥାପି ଦେଶରେ ୨୫,୮୬,୭୮୨ଟି ସକ୍ରିୟ ମାମଲା ରହିଥିଲେ ହେଁ ତାହା ମୋଟ ସଂକ୍ରମିତଙ୍କର ୯.୬ ପ୍ରତିଶତକୁ ମଧ୍ୟ ଖସି ଆସିଛି। ସେହିପରି ଦେଶରେ ଅଦ୍ୟାବଧି ୧୯,୮୫,୩୮,୯୯୯ ଜଣଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/RGD_Corona-Dangaria.jpg)