ପଶ୍ଚିମବଙ୍ଗ, ଆସାମରେ ବଢ଼ୁଛି ସଂକ୍ରମଣ: ସତର୍କ ‌କଲେ କେନ୍ଦ୍ର ସରକାର

ଟିକାକରଣ ୧୦୫ କୋଟି ଟପିଲା

ନୂଆଦିଲ୍ଲୀ : ପାର୍ବଣ ପରେ ପଶ୍ଚିମବଙ୍ଗ ଏବଂ ଆସାମ‌ରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଛି। ଉଭୟ ପଶ୍ଚିମବଙ୍ଗ ଏବଂ ଆସାମରେ ସଂକ୍ରମଣ ମାମଲା ଏବଂ ସାପ୍ତାହିକ ପଜିଟିଭ୍‌ ହାର ବଢ଼ିଥିବା ‌ବେଳେ ଟେଷ୍ଟିଂ କମିଛି। ଗତ ୨୬ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା ଆ‌ସାମ ଏବଂ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି, ଗତ ସପ୍ତାହ (ଅକ୍ଟୋବର ୨୦-୨୬) ରୁ ସାପ୍ତାହିକ ସଂକ୍ରମଣ ବଢ଼ିଛି। ଗତ ୪ ସପ୍ତାହ ଧରି ତଥା ଅକ୍ଟୋବର ୨୫ ପର୍ଯ୍ୟନ୍ତ ପଜିଟିଭ୍‌ ହାର ବଢ଼ିଛି। ଗତ ୨୨ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପଶ୍ଚିମବଙ୍ଗକୁ ଚିଠି ଲେଖି କୋଲକାତାରେ ବଢ଼ୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆହୁଜା ମଧ୍ୟ ଆସାମ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି, ଗତ ସପ୍ତାହ (ଅକ୍ଟୋବର ୨୦-୨୬) ମଧ୍ୟରେ ସାପ୍ତାହିକ ସଂକ୍ରମଣ ମାମଲାରେ ୪୧ ପ୍ରତିଶତ ବୃଦ୍ଧି ହୋଇଛି। ଉଭୟ ପଶ୍ଚିମବଙ୍ଗ ଏବଂ ଆସାମ‌ରେ ଟେଷ୍ଟିଂ କମିଛି। ଆସାମର ୨ଟି ଜିଲ୍ଲା ବାରପେଟା ଏବଂ କାମରୁପ ମେଟ୍ରୋ ଚିନ୍ତାଜନକ ବୋଲି ଅତିରିକ୍ତ ସଚିବ କହିଛନ୍ତି। ସେହିପରି ପଶ୍ଚିମବଙ୍ଗର କୋଲକାତା ଏବଂ ହାୱଡ଼ା ମଧ୍ୟ ଚିନ୍ତା ବଢ଼ାଇଛି। ଏହି ଅଂଚଳରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ଉପରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି।

ଟିକାକରଣ ୧୦୫ କୋଟି ଟପିଲା
ନୂଆଦିଲ୍ଲୀ: ଦେଶରେ ଟିକାକରଣ ୧୦୫ କୋଟି ଅତିକ୍ରମ କରିଛି। ଗତକାଲିଠାରୁ ଆଜି ସକାଳ ୭ଟା ସୁଦ୍ଧା ଦେଶରେ ୫୧ ଲକ୍ଷ ଟିକାକରଣ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ‘୧୦୫ କୋଟି ଟିକାକରଣର ବିଜୟ’। ଜନସାଧାରଣଙ୍କୁ ସେ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୧୪,୩୧୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୧,୬୧,୫୫୫। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୦.୪୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୧୩,୫୪୩ ଜଣ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୬,୪୧,୧୭୫ରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ହାର ୯୮.୧୯ ପ୍ରତିଶତ। କୋଭିଡ୍‌ ସାପ୍ତାହିକ ପଜିଟିଭ୍‌ ହାର ୧.୧୮ ପ୍ରତିଶତ ରହିଛି। ଲଗାତାର ୩୬ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ୧.୨୨ ପ୍ରତିଶତ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର