ଜଳବାୟୁ ପରିବର୍ତ୍ତନ ପାଇଁ ସଂକ୍ରାମକ ରୋଗ ଅଧିକ ମାରାତ୍ମକ ହେଉଛି

ୱାସିଂଟନ: କୋଭିଡ୍-୧୯ ମହାମାରୀ ସହ ସମଗ୍ର ବିଶ୍ବ ଯୁଝୁଥିବା ବେଳେ ଅନେକ ଦେଶରେ ମଙ୍କିପକ୍ସ ଆତଙ୍କ ସୃଷ୍ଟି କଲାଣି। ସମ୍ପ୍ରତି ପ୍ରକାଶିତ ଏକ ନୂଆ ରିପୋର୍ଟ ଅନୁସାରେ ଏ ସଂକ୍ରାମକ ରୋଗ ବ୍ୟାପିବା ସହ ଜଳବାୟୁ ପରିବର୍ତ୍ତନର ସମ୍ପର୍କ ଅଛି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ୫୮ ପ୍ରତିଶତ ସଂକ୍ରାମକ ରୋଗ ଚରମ ଜଳବାୟୁ ଯୋଗୁ ଅଧିକ ମାରାତ୍ମକ ହେଉଛି। ଏ ସମ୍ପର୍କିତ ରିପୋର୍ଟ ନେଚର କ୍ଲାଇମେଟ୍ ଚେଞ୍ଜ ନାମକ ଜର୍ଣ୍ଣାଲର ସଦ୍ୟତମ ସଂଖ୍ୟାରେ ପ୍ରକାଶ ପାଇଛି।

ୟୁରୋପର କେତେକ ଦେଶ ବର୍ତ୍ତମାନ ତାପଲହରିରେ ସନ୍ତୁଳିତ ହେଉଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟାଭଳି ପରିସ୍ଥିତି ଦେଖା ଦେଇଛି। ଇତିମଧ୍ୟରେ ଆମେରିକାରେ ବନାଗ୍ନି ବ୍ୟାପି ଶହ ଶହ ଏକର ଜଙ୍ଗଲ ପୋଡ଼ିଯିବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଛି। ଏଭଳି ପାଣିପାଗର ମୂଳ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ନେଚର କ୍ଲାଇମେଟ୍ ଚେଞ୍ଜରେ ପ୍ରକାଶିତ ଅନୁଧ୍ୟାନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସଂକ୍ରାମକ ରୋଗ ବୃଦ୍ଧିରେ ସହାୟକ ହେଉଛି। ଚରମ ଜଳବାୟୁ ଅନେକ ଉପାୟରେ ରୋଗ ସଂକ୍ରମଣକୁ ବ୍ୟାପକ କରିବା ସହ ସଂକ୍ରମିତ ରୋଗର ମାରାତ୍ମକତାକୁ ବଢ଼ାଇଦେଉଛି।

ଜଳବାୟୁ ଯେତିକି ବଦଳିବ, ରୋଗଗୁଡ଼ିକର ବିପଦ ମଧ୍ୟ ସେହି ଅନୁପାତରେ ବଦଳିବ ବୋଲି ଅନୁଧ୍ୟାନର ସହଲେଖକ ତଥା ୱିସ୍କନ୍‌ସିନ୍-ମାଡିସନ୍ ବିଶ୍ବବିଦ୍ୟାଳୟର ଗ୍ଲୋବାଲ୍ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡ. ଜୋନାଥନ ପାଜ କହିଛନ୍ତି। ସଂକ୍ରାମକ ରୋଗ ଛଡ଼ା ଗବେଷକମାନେ ଆଜ୍‌ମା (ଶ୍ବାସରୋଗ), ଆଲର୍ଜି ଆଦି ସବୁ ପ୍ରକାର ମାନବୀୟ ଅସୁସ୍ଥତା ଉପରେ ଅନୁଧ୍ୟାନ କରିଥିଲେ। ଏପରି କି ମଶା-କାମୁଡ଼ା, କୁକୁର-କାମୁଡ଼ା ଆଦି ଜନିତ ରୋଗ ଉପରେ ବି ସେମାନେ ଅନୁଧ୍ୟାନ କରିଥିଲେ। ଗବେଷକମାନେ ୨୮୬ ପ୍ରକାର ସ୍ବତନ୍ତ୍ର ଅସୁସ୍ଥତା ଉପରେ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ସେଥି ମଧ୍ୟରୁ ୨୨୩ ପ୍ରକାର ରୋଗ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରହିଛି ଏବଂ ଚରମ ଜଳବାୟୁ ଏହି ରୋଗଗୁଡ଼ିକର ମାରାତ୍ମକତାକୁ ବଢ଼ାଇଦେଇଛି। ଅଙ୍ଗାରକାମ୍ଳ, କ୍ଳୋରୋଫ୍ଲୋରୋକାର୍ବନ, ମିଥେନ ଆଦି ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧି ସହ ବାୟୁମଣ୍ଡଳର ତାପମାତ୍ରା ଯେପରି ଲଗାମହୀନ ଭାବେ ବୃଦ୍ଧି ପାଉଛି, ସେଥିରେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଅନୁଧ୍ୟାନର ପ୍ରମୁଖ ଲେଖକ କାମିଲୋ ମୋରା କହିଛନ୍ତି।

ସମ୍ବନ୍ଧିତ ଖବର