ନୂଆଦିଲ୍ଳୀ: ଦେଶରେ ଭାଇରାଲ୍‌ ସଂକ୍ରମଣ ବଢ଼ିଚାଲିଛି। ଏଚ୍‌୩ଏନ୍‌୨ ଭାଇରସ୍‌ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି। ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହାଯାଉଛି। ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି। ଏ ନେଇ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କି ଏହା ସାଧାରଣତଃ ଡ୍ରପ୍‌ଲେଟ୍‌ସ (ମୁଖକଣିକା) ଓ ମ୍ୟୁଟେଟ୍‌ସ (ରୁପାନ୍ତର)ରୁ ବ୍ୟାପିଥାଏ। ଏହା କରୋନା ପରି ବ୍ୟାପି ଚାଲିଛି।

Advertisment

ଏମସର ପୂର୍ବତନ ନିର୍ଦ୍ଦେଶକ ତଥା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟର୍‌ନାଲ୍‌ ମେଡିସିନ୍‌ ଆଣ୍ଡ୍‌ ରେସ୍‌ପିରେଟାରି ଆଣ୍ଡ୍‌ ସ୍ଲିପ୍‌ ମେଡିସିନ୍ ଅଧ୍ୟକ୍ଷ ମତ ରଖିଛନ୍ତି କି ଏହି ପାର୍ବଣ ଋୁତୁରେ ଲୋକମାନେ ଅଧିକ ସତର୍କ ହେବା ଉଚିତ। ବିଶେଷ କରି ବୟସ୍କ ବ୍ୟକ୍ତିମାନେ  ଅଧିକ ସାବଧାନ ରହିବା ଦରକାର।

ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ସୂଚନା ଦେଇ ଗୁଲେରିଆ କହିଛନ୍ତି, ‘ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ହୋଇଥାଏ। ମାମଲା ବୃଦ୍ଧି ପାଇବାର କାରଣ ହେଉଛି ଭୂତାଣୁଟିର ରୁପାନ୍ତର ହେଉଛି ଓ ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି।’

ଏଚ୍‌୧ଏନ୍‌୧ ହେତୁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଜୀବାଣୁଙ୍କର ରୂପାନ୍ତର ହେଉଛି ଏଚ୍‌୩ଏନ୍‌୨।  ଏହା ଏକ ସାଧାରଣ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ ଅଟେ। କିନ୍ତୁ ଆମେ ଅଧିକ ମାମଲା ଦେଖୁଛୁ, କାରଣ ଜୀବାଣୁ ଟିକେ ରୂପାନ୍ତରିତ ହୋଇଛି ଓ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ବୋଲି ଗୁଲେରିଆ ଏଏନ୍ଆଇକୁ କହିଛନ୍ତି।