ନୂଆଦିଲ୍ଲୀ: ବାହାନଗାଠାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣାର କାରଣ ସିଗ୍‌ନାଲିଂ ତ୍ରୁଟି ବୋଲି ରେଳବାଇ ଏହାର ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁର୍ଘଟଣାର କାରଣ ସଂପର୍କରେ ସୂଚନା ଦେବା ପାଇଁ ରେଳ ବୋର୍ଡ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ରେଳ ବୋଲର ସଦସ୍ୟ ଜୟା ବର୍ମା ସିହ୍ନା ଯୋଗ ଦେଇ କହିଥିଲେ ପ୍ରାରମ୍ଭିକ ଅନୁସନ୍ଧାନରୁ ସିଗ୍‌ନାଲିଂରେ କିଛି ସମସ୍ୟା ଥିଲା। ତେବେ ଏହା କେବଳ ପ୍ରାରମ୍ଭିକ ତଥ୍ୟ। ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି। ବର୍ମାଙ୍କ ସୂଚନା ଅନୁସାରେ ଦୁର୍ଘଟଣା ସମୟରେ କରମଣ୍ଡଳ ଏକ୍ସପ୍ରେସର ବେଗ ଘଣ୍ଟାପ୍ରତି ୧୨୮ କିମି ରହିଥିଲା। ଏହା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ମାଲବାହୀ ଟ୍ରେନରେ ଲୁହାପଥର ଭର୍ତ୍ତି ହୋଇଥିବାରୁ ତାହା ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଯଶବନ୍ତପୁର ଏକ୍ସପ୍ରେସ ୧୨୬ କିମି ବେଗରେ ଗତି କରୁଥିଲା। ଦୁର୍ଭାଗ୍ୟବଶତଃ କରମଣ୍ଡଳ ଏକ୍ସପ୍ରେସର ବଗି ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ବଗିକୁ ଧକ୍କା ଦେବାରୁ ଲୋକମା‌ନେ ପ୍ରାଣ ହରାଇବା ସହିତ ଆହତ ହୋଇଛନ୍ତି। ଉଭୟ ଟ୍ରେନକୁ ସବୁଜ ସିଗ୍‌ନାଲ୍‌ ରହିଥିଲା। ତେଣୁ ଅନୁମତି ଥିବା ପୂର୍ଣ୍ଣ ବେଗରେ ଟ୍ରେନଦ୍ବୟ ଗତି କରୁଥିଲେ। ତେଣୁ ଅଧିକ ବେଗରେ ଟ୍ରେନ ଯିବା ପ୍ରସଙ୍ଗକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

Advertisment

୧୩୯ ନମ୍ବରରେ ଯୋଗ‌ାଯୋଗ କରନ୍ତୁ
ରେଳ ବୋର୍ଡ ସଦସ୍ୟ ବର୍ମା କହିଛନ୍ତି, ଦୁର୍ଘଟଣାରେ ପ୍ରଭାବିତ ଲୋକମାନଙ୍କ ପାଇଁ ୧୩୯ ହେଉଛି ସାଧାରଣ ହେଲପଲାଇନ ନମ୍ବର। ଏହି ନମ୍ବରକୁ ଯୋଗାଯୋଗ କରି ସୂଚନା ଓ ସହାୟତା ପାଇପାରିବେ। ଦୁର୍ଘଟଣାର କାରଣ ଜଣାପଡ଼ିଛି, କିନ୍ତୁ କମିସନରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି
ବର୍ମା କହିଛନ୍ତି ଦୁର୍ଘଟଣାର କାରଣ ପ୍ରାରମ୍ଭିକ ଭାବେ ଜଣାପଡ଼ିଛି। କିନ୍ତୁ ଜଣେ ଦାୟିତ୍ବ ସଂପନ୍ନ ଅଧିକାରୀଭାବେ ସେ ସେହି ନିର୍ଦ୍ଦିଷ୍ଟ କାରଣର ସୂଚନା ଦେଇପାରିବେ ନାହିଁ। କାରଣ ରେଳ ସୁରକ୍ଷା କମିସନରଙ୍କ ରିପୋର୍ଟକୁ ଆମକୁ ଅପେକ୍ଷା କରିବାକୁ ହେବ। ଏହା ହିଁ ‌ପ୍ରୋଟୋକଲ ବୋଲି ସେ କହିଛନ୍ତି। କମିସନରଙ୍କ ତଦନ୍ତ ଚାଲିଛି। ତଦନ୍ତ ପରେ ଅଧିକ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

କବଚ ବ୍ୟବସ୍ଥା ପାଇଁ ସମୟ ଲାଗିବ
ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା କବଚ ବା ଆଣ୍ଟି କଲିଜନ ବ୍ୟବସ୍ଥାର ପରୀକ୍ଷଣ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇସାରିଛି। କିନ୍ତୁ ସବୁ ରେଳପଥରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟ ଲାଗିବ। କାରଣ ଏହା ଏକ ବ୍ୟୟବହୁଳ ବ୍ୟବସ୍ଥା। କିନ୍ତୁ ଏହାର କାର୍ଯ୍ୟକାରିତା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି।

କବଚ ଦୁର୍ଘଟଣାକୁ ରୋକି ପାରିନଥାନ୍ତା
କବଚ ଏହି ଦୁର୍ଘଟଣାକୁ ରୋକି ପାରିଥାନ୍ତା କି ବୋଲି ପ୍ରଶ୍ନରେ ବର୍ମା କହିଛନ୍ତି, କବଚ କାର୍ଯ୍ୟକାରୀ ହୋଇଥିଲେ ଏହା ଟ୍ରାକ୍ ଏବଂ ଟ୍ରେନରେ ଥାନ୍ତା। ୧୩୦ କିମି ବେଗରେ ଯାତ୍ରା କରୁଥିବା ଟ୍ରେନ ପାଇଁ କବଚ କାର୍ଯ୍ୟକ୍ଷମ ହେବାକୁ ମାତ୍ର ୧୦୦ ମିଟର ରହିଥିଲା। କିନ୍ତୁ ୧୩୦ କିମି ବେଗରେ ଯାତ୍ରା କରୁଥିବା ଟ୍ରେନକୁ ରୋକିବା ପାଇଁ ୬୦୦ ମିଟର ଦୂରରୁ ବ୍ରେକ ମାରିବାର ଆବଶ୍ୟକତା ଥିଲା। ଏ ପ୍ରକାର ଦୁର୍ଘଟଣାକୁ ରୋକିବା ପାଇଁ ବିଶ୍ବରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଯୁକ୍ତି ନାହିଁ ବୋଲି ସେ କହିଛନ୍ତି। ଟ୍ରେନ ସାମ୍ନାରେ ହଠାତ୍ ଏକ ବଡ଼ ପଥର ଖସିପଡ଼ିବା ଭଳି ଏହି ଦୁର୍ଘଟଣା ହୋଇଥିବାରୁ ଏଥିରେ କିଛି କରାଯାଇ ପାରି ନଥାନ୍ତା ବୋଲି ବର୍ମା କହିଛନ୍ତି। ଦୁର୍ଘଟଣା ପରେ ଆମେ କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭରଙ୍କ ସହିତ କଥା ହୋଇଥିଲୁ। ସେ କହିଥିଲେ ତାଙ୍କୁ ଗ୍ରିନ ସିଗନାଲ ମିଳିଥିଲା। ସେ ଚିକିତ୍ସିତ ହେଉଥିବାରୁ ତାଙ୍କ ସହିତ ଏ ନେଇ ଅଧିକ କିଛି କଥା ହୋଇପାରିନାହିଁ।