ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ବାବଦରେ ରେଳ ମନ୍ତ୍ରୀଙ୍କ ସୂଚନା: ୫୨,୨୧୯ କୋଟିରୁ ମାର୍ଚ ସୁଦ୍ଧା ଖର୍ଚ୍ଚ ୧୬,୯୦୩ କୋଟି ଟଙ୍କା

ପ୍ରସ୍ତାବିତ ୪.୬୪୩ କିମି ମଧ୍ୟରୁ ୯୨୮ କିମିର ଭାରାର୍ପଣ
ବଜେଟରେ ଓଡ଼ିଶାକୁ ସର୍ବାଧିକ ୫,୯୨୧ କୋଟି ଟଙ୍କା

ନୂଆଦିଲ୍ଲୀ : ୨୦୨୧, ଏପ୍ରିଲ ୧ର ସ୍ଥିତି ଅନୁସାରେ ଓଡ଼ିଶାରେ ପୂର୍ଣ୍ଣ ଓ ଆଂଶିକ ରୂପେ ୫୨ ହଜାର ୨୧୯ କୋଟି ଟଙ୍କା ବ୍ୟୟରେ ୪ ହଜାର ୬୪୩ କିମି ‌ଦୈର୍ଘ୍ୟର ୩୭ଟି ପ୍ରକଳ୍ପର ଯୋଜନା, ମଂଜୁରି ଓ କାର୍ଯ୍ୟକାରିତା ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥି ମଧ୍ୟରୁ ୯୨୮ କିମି ଭାରାର୍ପଣ (କମିସନ୍‌) ହୋଇଛି। ଆଜି ଲୋକସଭାରେ ଓଡ଼ିଶାର ରେଳ ପ୍ରକଳ୍ପ ସଂପର୍କରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ମାର୍ଚ ୨୦୨୧ ସୁଦ୍ଧା ଏ ବାବଦରେ ୧୬ ହଜାର ୯୦୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏକ ହଜାର ୪୬୦ କିମି ଦୈର୍ଘ୍ୟ ୧୧ଟି ନୂଆ ଲାଇନ ପ୍ରକଳ୍ପ, ଯେଉଁଥି ପାଇଁ ୨୦ ହଜାର ୩୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ସେଥିରୁ ୧୧୨ କିମିରେ ଯାତାୟାତ ଆରମ୍ଭ ହୋଇଛି ଏବଂ ଏ ବାବଦରେ ୩ ହଜାର ୭୮୯ କୋଟି ଟଙ୍କା ମାର୍ଚ ୨୦୨୧ ସୁଦ୍ଧା ବ୍ୟୟ କରାଯାଇଛି। ଏକ ହଜାର ୪୫୫ କୋଟି ଟଙ୍କା ବ୍ୟୟରେ ୧୪୫ କିଲୋମିଟର ଗଜ ପରିବର୍ତ୍ତନ ପ୍ରକଳ୍ପରୁ ୯୦ କିମି ଗଜ ପରିବର୍ତ୍ତନର ଭାରାର୍ପଣ (କମିସନ୍‌) କରାଯାଇଛି। ଯେଉଁଥି ପାଇଁ ମାର୍ଚ ୨୦୨୧ ସୁଦ୍ଧା ୧୮୪ କୋଟି ଟଙ୍କା ବ୍ୟୟ କରାଯାଇଛି। ୩୩ ହଜାର ୪୧୮କୋଟି ଟଙ୍କା ବ୍ୟୟ ଅର୍ନ୍ତଗତ ୨୫ଟି ଦୋହରାକରଣ ପ୍ରକଳ୍ପ କାର୍ଯ୍ୟରୁ ୭୨୬ କିଲୋମିଟର କାର୍ଯ୍ୟ ଶେଷ ହୋଇଥିବାବେଳେ ମାର୍ଚ ୨୦୨୧ ସୁଦ୍ଧା ଏ ବାବଦରେ ଖର୍ଚ୍ଚ ହୋଇଛି ୧୨ ହଜାର ୯୩୦ କୋଟି ଟଙ୍କା।

କେନ୍ଦ୍ର ରେଳମନ୍ତ୍ରୀ ଉତ୍ତରରେ ସ୍ପଷ୍ଟ ରୂପେ ଉଲ୍ଲେଖ କରି କହିଛନ୍ତି, ରେଳ ପ୍ରକଳ୍ପଗୁଡ଼ିକୁ ଜୋନାଲ୍‌ୱାରି ମଂଜୁରି ପ୍ରଦାନ କରାଯାଇଥାଏ, ରାଜ୍ୟୱାରି ନୁହେଁ। ଓଡ଼ିଶା ପୂର୍ବ ତଟ ରେଳପଥ, ଦକ୍ଷିଣ-ପୂର୍ବ ରେଳପଥ ଓ ଦକ୍ଷିଣ-ପୂର୍ବ କେନ୍ଦ୍ର ରେଳପଥ ଅଧୀନରେ ରହିଛି। ପ୍ରକଳ୍ପୱାରି ବିବରଣୀ ମୂଲ୍ୟ, ଖର୍ଚ୍ଚ ଇତ୍ୟାଦି ସାର୍ବଜନୀନ ରୂପେ ରେଳୱେର ୱେବସାଇଟ୍‌ରେ ଉପଲବ୍ଧ ହୋଇଥାଏ। ପ୍ରକଳ୍ପଗୁଡିକର କ୍ରିୟାନ୍ବୟନ ରାଜ୍ୟ ସରକାରଙ୍କ ଠାରୁ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ମଂଜୁରି, ଅଂଚଳର ଆଇନଶୃଖଂଳା ସ୍ଥିତି ଇତ୍ୟାଦି ଉପରେ ନିର୍ଭର କରିଥାଏ। ତେଣୁ ପ୍ରକଳ୍ପର କାର୍ଯ୍ୟ କେବେ ଶେଷ ହେବ ସେ ନେଇ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରିତ କରାଯାଇନପାରେ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି। ଓଡ଼ିଶାକୁ ୨୦୨୧-୨୨ ବଜେଟରେ ସର୍ବାଧିକ ୫,୯୨୧ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ସଂପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି। ୨୦୦୯-୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କାରୁ ଏହା ୬୦୭ ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର