ପଣଜୀ: ବେଙ୍ଗାଲୁରୁ ସିଇଓ ସୂଚନା ସେଠ୍ ସ୍ବାମୀଙ୍କ ଉପରେ ରାଗ କରି ନିଜର ୪ ବର୍ଷର ପୁଅକୁ ହତ୍ୟା କରିବା ଘଟଣା ଉପରେ ପୁଲିସ ତଦନ୍ତ ଚଳାଇଛି। ତେବେ ପୁଅକୁ ମାରିବା ପରେ ଶବକୁ କ’ଣ କରିବ, କେଉଁଠି ପକେଇବ ସେ ନେଇ ସୂଚନା କୌଣସି ଯୋଜନା କରି ନ ଥିବା ପୁଲିସ ପ୍ରକାଶ କରିଛି। ତଦନ୍ତକାରୀ ପୁଲିସର କହିବା ଅନୁସାରେ, ସୋମବାର ସକାଳେ ନିଜ ଶିଶୁର ମୃତଦେହ ସହ ବାହାରକୁ ଯିବା ପର୍ଯ୍ୟନ୍ତ ସୂଚନା ନିଜ ରୁମ୍‌ରୁ ବାହାରି ନ ଥିଲେ। ଗତ ଶନିବାର ସେ ନିଜ ପୁଅ ସହ ଗୋଆରେ ପହଞ୍ଚିବା, ବନ୍ଦ କୋଠରିରେ ପୁଅକୁ ହତ୍ୟା କରିବା ସହ ମୃତଦେହକୁ ବ୍ୟାଗ୍‌ରେ ଭର୍ତ୍ତି କରି ବେଙ୍ଗାଲୁରୁ ନେବା ଲାଗି ଟ୍ୟାକ୍ସି ଭଡ଼ା କରିଥିବାରୁ ଆମେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କହୁଛୁ ବୋଲି ପୁଲିସ କହିଛି। ସୂଚନା ସୋମବାର ରାତି ୧ଟାରେ ହୋଟେଲ ଛାଡ଼ି ପ୍ରାୟ ୧୦ ଘଣ୍ଟା ମଧ୍ୟରେ ସଡ଼କ ପଥରେ ବେଙ୍ଗାଲୁରୁରେ ପହଞ୍ଚି ଥାଇପାରନ୍ତି।

Advertisment

ପୁଅର ମୃତଦେହକୁ କେଉଁଠି କିପରି ଫିଙ୍ଗିବାକୁ ବା କ’ଣ କରିବାକୁ ଯୋଜନା କରିଥିଲେ ସେ ସମ୍ପର୍କରେ ପୁଲିସ ସୂଚନାଙ୍କୁ ପଚରାଉଚରା କରିଥିଲା। ଉତ୍ତରରେ ସୂଚନା କିଛି ଯୋଜନା କରି ନ ଥିବା କହିଥିଲେ। ମୁଁ ମୋ ପୁଅକୁ ଘରକୁ ନେବାକୁ ଚାହୁଥିଲି ବୋଲି ସେ କହିଥିଲେ। ଡାକ୍ତରୀ ମୂଲ୍ୟାୟନ ଏବଂ ନମୁନା ସଂଗ୍ରହ ପାଇଁ ସୂଚନାଙ୍କୁ ଉଭୟ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାମ୍ବୋଲିମ୍‌ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇକିଆଟ୍ରି ଆଣ୍ଡ ହ୍ୟୁମାନ ବିହେଭିୟରକୁ ନିଆଯାଇଥିଲା। ଜଣାପଡ଼ିଥିଲା ଯେ, ମା’ଙ୍କ ମୃତ୍ୟୁ ପରଠାରୁ ସେ ଅନେକ ବର୍ଷ ଧରି ବାପାଙ୍କ ସହ କଥା ହୋଇ ନ ଥିଲେ।

ପୁଲିସ କହିଛି ଯେ ଡାଟା ବୈଜ୍ଞାନିକଙ୍କ ବିରୋଧରେ ଯୋଜନାବଦ୍ଧ ହତ୍ୟା ଅଭିଯୋଗକୁ ସମର୍ଥନ କରିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି, ଯାହାଙ୍କର ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ ସେ ଜଣେ ହାୱାର୍ଡ ଫେଲୋ ଏବଂ ତାଙ୍କ ପାଖରେ ଯୋଗ୍ୟତାର ଏକ ଲମ୍ବା ତାଲିକା ଅଛି। ତଦନ୍ତକାରୀମାନେ ୧୨ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛନ୍ତି ଏବଂ ସୂଚନାଙ୍କ ସ୍ୱାମୀ ଭେଙ୍କଟରମଣଙ୍କୁ ସପ୍ତାହାନ୍ତରେ କାଲାଙ୍ଗୁଟ ପୁଲିସ ନିକଟରେ ହାଜର ହେବାକୁ ନୋଟିସ ଜାରି କରିଛନ୍ତି।