ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ମଧ୍ୟସ୍ଥତା କରିବାକୁ ଆମେରିକା ପ୍ରସ୍ତୁତ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମୁନଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚୀନ୍ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି | ଆଜି ଟୁଇଟ୍ କରି ଏ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଭାରତ ଏବଂ ଚୀନ୍ ମଧ୍ୟରେ ଲାଗିରହିଥିବା ଅସନ୍ତୋଷକୁ ଦେଖିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି |

ରାଷ୍ଟ୍ରପତି ଟ୍ରମ୍ପ ବୁଧବାର ଟ୍ୱିଟ୍ କରି କହିଛନ୍ତି, ଆମେ ଉଭୟ ଭାରତ ଏବଂ ଚୀନକୁ ସୂଚନା ଦେଇଛୁ ଯେ ଆମେରିକା ବର୍ତ୍ତମାନ ସୀମା ବିବାଦର ମଧ୍ୟସ୍ଥତା କିମ୍ବା ସମାଧାନ କରିବାକୁ ପ୍ରସ୍ତୁତ, ଇଚ୍ଛୁକ ଏବଂ ସକ୍ଷମ। ଧନ୍ୟବାଦ!

ଏହା ପୂର୍ବରୁ ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା | ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଥିଲେ ଯେ, ସୀମାରେ ଚୀନର ସ୍ଥିତି ସ୍ଥିର ଓ ଅପରିବର୍ତ୍ତିତ ରହିଛି । ଦୁଇ ଦେଶର ନେତାଙ୍କ ସହମତିରେ ହୋଇଥିବା ରାଜିନାମା ଅନୁସାରେ ଏହି ସମସ୍ୟାର ସମାଧାନ କରାଯାଉଛି । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ଅନଔପଚାରିକ ଆଲୋଚନାକୁ ନଜରରେ ରଖି ସେ ଏହା କହିଛନ୍ତି ।

କିନ୍ତୁ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଲଦାଖ ସୀମାରେ ଚୀନ ସେନା ନିଜର ଶକ୍ତି ବଢାଇଚାଲିଥିବା ବେଳେ ଭାରତ ମଧ୍ୟ ତାହାକୁ ତାଳଦେଇ ନିଜର ସ‌ୈନ୍ୟ ସଂଖ୍ୟା ବଢାଇଚାଲିଛି। ଦୁଇଦେଶ ମଧ୍ୟ କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ । ଚୀନ ସୀମାରେ ଭାରତ ପକ୍ଷରୁ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଛି । ମାତ୍ର ଏଥର ସ୍ଥିତି ଅଧିକ ଗୁରୁତର ଆକାର ଧାରଣ କରିବାରେ ଲାଗିଛି । ତେବେ ଚୀନର ଚାପ ସତ୍ତ୍ବେ ସୀମାରେ ସଡ଼କ ଓ ପୋଲ ଆଦି ଭିତ୍ତିଭୂମି ନିର୍ମାଣ ଜାରି ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର