ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା: ପୁଲିସ ଡିସିପିଙ୍କ ଗୋଡ଼ ଉପରେ ଗାଡ଼ି ଚଢାଇଦେଲେ ଯୁବକ

ନୂଆଦିଲ୍ଲୀ: ଭାରତ ବନ୍ଦ ବେଳେ ପ୍ରଦର୍ଶନକାରୀଙ୍କ ଉତ୍ପାତ । ପୁଲିସ ଡିସିପିଙ୍କ ଗୋଡ ଉପରେ ଚଢାଇଦେଲେ ଏସୟୁଭି ଗାଡି । ଏଭଳି ଏକ ସାଂଘାତିକ ଘଟଣା ଏବେ ବେଙ୍ଗଗଲୁରୁରୁ ସାମ୍ନାକୁ ଆସିଛି । ଉତ୍ତର ବେଙ୍ଗଗଲୁରୁର ଡିସିପି ଧର୍ମେନ୍ଦ୍ର ମୀନାଙ୍କ ସହ ଏଭଳି ଏକ ଅଘଟଣ ଘଟିଛି।

ସୂଚନା ମୁତାବକ, ତେବେ ସହରରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପାଇଁ ବିଭିନ୍ନ ସ୍ଥାନରେ ପୁୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଭାଗର ବଡ ଅଧିକାରୀମାନେ ପ୍ରଦର୍ଶନସ୍ଥଳୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ। ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ସମୟରେ ଜଣେ ପ୍ରଦର୍ଶନକାରୀ ଉତ୍ତର ବେଙ୍ଗାଲୁରୁର ଡିସିପି ଧର୍ମେନ୍ଦ୍ର ମୀନାଙ୍କ ଗୋଡ ଉପରେ ଗାଡି ଚଢାଇ ଦେଇଥିଲେ । ତେବେ ଏହି ଦୁର୍ଘଟଣାରେ ଧର୍ମେନ୍ଦ୍ର ଗୁରୁତର ଆହତ ହୋଇନଥିବା ବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଗାଡି ଚଳାଉଥିବା ବ୍ୟକ୍ତି ହରିଶ ଗୌଡାଙ୍କୁ ପୁଲିସ ଅଟକ ରଖିଛି।

ଉଲ୍ଲେଖଯୋଗ୍ୟ, ସଂସଦରେ ଗୃହିତ ହୋଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତବର୍ଷଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ସଂଗଠନ । ତଥାପି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁନଥିବାରୁ ଚାପ ପକାଇବା ପାଇଁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଥିଲା। ଏହି ଆନ୍ଦୋଳନକୁ କଂଗ୍ରେସ ସମେତ, ଆମ ଆଦମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର କଂଗ୍ରେସ ଏବଂ ବାମ ଦଳ ସମେତ ୧୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଥିଲେ । ଆଉ ଏହି କ୍ରମରେ ବେଙ୍ଗଗଲୁରୁରେ ମଧ୍ୟ ଭାରତ ବନ୍ଦ ପାଳନ କରାଯାଇଥିଲା ।

ସମ୍ବନ୍ଧିତ ଖବର