ମଧ୍ୟପ୍ରଦେଶରେ ଅମାନବୀୟ କାଣ୍ଡ, ହସ୍ପିଟାଲ୍‌ ବିଲ୍‌ ଦେଇ ନପାରିବାରୁ ବେଡ୍‌ରେ ବନ୍ଧାହେଲେ ୮୦ ବର୍ଷୀୟ ବୃଦ୍ଧ

ଭୋପାଳ: ମଧ୍ୟପ୍ରଦେଶର ସଜାପୁରର ଏକ ହସ୍ପିଟାଲ୍‌‌ରେ ଏ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଅର୍ଥ ପୈଠ ନ କରିପାରିବ‌ାରୁ ବୃଦ୍ଧଙ୍କୁ ହସ୍ପିଟାଲ୍‌ ବେଡ୍‌ରେ ବାନ୍ଧି ଦିଆଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଉକ୍ତ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚୌହାନ କହିଛନ୍ତି। ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋ‌ଇଛି। ସଜାପୁର ଜିଲ୍ଲାପାଳ ବିରେନ୍ଦ୍ର ସିଂହ ରାୱତଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ଘଟଣାର ତଦନ୍ତ ପାଇଁ ହସ୍ପିଟାଲ୍‌କୁ ଏକ ଟିମ୍‌ ପଠାଯାଇଛି। ତଦନ୍ତ ରିପୋର୍ଟ ଆସିବାପରେ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହ‌ିଛନ୍ତି।

ଏହି ବୃଦ୍ଧଙ୍କୁ ଚଳିତ ସପ୍ତାହରେ ର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧଙ୍କ ଝିଅ ପର୍ଯ୍ୟାୟକ୍ରମେ ହସ୍ପିଟାଲ୍‌ ବିଲ୍‌ ପୈଠ କରୁଥିଲେ। କିନ୍ତୁ ଟଙ୍କା ନଥିବାରୁ ସେ ଶେଷ ବିଲ୍‌ ପୈଠ କରିପାରିନଥିଲେ। ତାଙ୍କ ବାପାଙ୍କୁ ଡିସଚ‌ାର୍ଜ କରିଦେବା ପାଇଁ ସେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ କେହି ଶୁଣିନଥିଲେ। କାଳେ ସେ ତାଙ୍କ ବାପାଙ୍କୁ ନେଇ ପଳାଇବେ ସେଥିପାଇଁ ତାଙ୍କୁ ହସ୍ପିଟାଲ୍‌ ବେଡ୍‌ରେ ବାନ୍ଧି ଦିଆଯାଇଥିଲା।

ସମ୍ବନ୍ଧିତ ଖବର