କାନପୁର: ବିହାରର ଜଣେ ୨୬ ବର୍ଷୀୟ ଦିନ ମଜୁରିଆ ୬ ମାସ ତଳେ ଭଲ ରୋଜଗାର କରିବା ଆଶାରେ ଦିଲ୍ଲୀ ଆସିଥିଲେ। କିନ୍ତୁ ଦିଲ୍ଲୀରେ ଭଲ ଜୀବନ ବଞ୍ଚିବା ବଦଳରେ ସେ ଚରମ ବର୍ବରତାର ଶିକାର ହୋଇ ଅନ୍ଧ ହୋଇଗଲେ । ଉକ୍ତ ବ୍ୟକ୍ତିଙ୍କ ନାମ ସୁରେଶ ମାଂଝି। ପୁଲିସକୁ ସୁରେଶ କହିଛନ୍ତି, ତାଙ୍କୁ ଏକ ଗ୍ୟାଙ୍ଗ୍ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରିଥିଲେ। ଆଖିରେ କେମିକାଲ ଇଂଜେକସନ୍ ଦେଇ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଅନ୍ଧ କରିଦିଆଗଲା ଏବଂ ଏହାପରେ ତାଙ୍କୁ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରାଗଲା।
ସୁରେଶଙ୍କ ଘର ବିହାରରେ। ସେ କାନପୁରରେ ତାଙ୍କ ଭାଇଙ୍କ ସହ ରହୁଥିଲେ। ଗୁଲାବୀ ବିଲ୍ଡିଂ ଅଞ୍ଚଳର ବିଜୟ ନାମକ ଜଣେ ଲୋକ ତାଙ୍କୁ ଭଲ ମଜୁରି ଲୋଭ ଦେଖାଇ ଝାରକଟି ଅଞ୍ଚଳରେ ଜଣେ ମହିଳାଙ୍କ ଘରକୁ ନେଇଥିଲା। ସେଠାରେ ସୁରେଶଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। କେମିକାଲ ବ୍ୟବହାର କରି ସୁରେଶଙ୍କ ଦୁଇ ଆଖି ନଷ୍ଟ କରିଦିଆଗଲା। ଏହାପରେ ବିଜୟ ସୁରେଶଙ୍କୁ ଦିଲ୍ଲୀର ଜଣେ ଭିକାରୀ ମାଫିଆ ରାଜ୍କୁ ବିକି ଦେଇଥିଲା। ରାଜ୍ ତା’ପରେ ସୁରେଶଙ୍କୁ ହରିୟାଣା ପଠାଇ ସେଠାରେ ଭିକ୍ଷାବୃତ୍ତିରେ ଲଗାଇଲା। ସୁରେଶ କହିଛନ୍ତି, ତାଙ୍କୁ ଲୁହା ରଡ୍ରେ ମାଡ଼ ମରାଯାଇଥିଲା ଏବଂ ପ୍ରତିଦିନ ଧମକ ଦିଆଯାଉଥିଲା। ଭିକ ନମାଗିଲେ ଖାଇବାକୁ ଦିଆଯାଉନଥିଲା। କେମିକାଲ ପ୍ରୟୋଗ ପ୍ରଭାବରେ ସୁରେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ରାଜ୍ ବିଜୟ ସାଥିରେ ସୁରେଶଙ୍କୁ ଦିଲ୍ଲୀ ପଠାଇଥିଲା। କିନ୍ତୁ ବିଜୟ ସହ ଆସିବାପରେ ବି ତାଙ୍କୁ କିଡୱାଇନଗରରେ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରାଯାଇଥିଲା। ଗତ ଗୁରୁବାର ସେ କୌଶଳକ୍ରମେ ବିଜୟ କବଳରୁ ଖସି ଆସି ପୁଲିସର ଆଶ୍ରୟ ନେଇଥିଲେ। ଉକ୍ତ ଘଟଣାରେ ଅପରାଧ ଏବଂ ନିର୍ଯାତନା ମାମଲା ରୁଜୁ ହୋଇଛି ବୋଲି ଡିଜିପି ପ୍ରମୋଦ କୁମାର କହିଛନ୍ତି।