ନୂଆଦିଲ୍ଲୀ: ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍ସିପ୍ସ୍ରେ ଆୟୋଜିତ ପୁରୁଷ ଜାଭ୍ଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି। ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍ୱେଲ୍ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।
ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନୀରଜ ଶତପ୍ରତିଶତ ସୁସ୍ଥ ନଥିବାରୁ ସେ କମନ୍ୱେଲ୍ଥ ଗେମ୍ସରେ ଖେଳିବେ ନାହିଁ। ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ବ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ।
Struggled a bit with the conditions, but extremely happy to win a 🥈medal for India at the #WCHOregon22. Congratulations to Anderson Peters and Jakub Vadlejch on an incredible competition.
Thank you to everyone at home and at Hayward Field for your support. 🇮🇳 pic.twitter.com/co2mGrx3Em
— Neeraj Chopra (@Neeraj_chopra1) July 25, 2022
ନିକଟରେ ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍ସିପ୍ସ୍ରେ ନୀରଜ ଚୋପ୍ରା ୮୮.୧୩ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇବା ପରେ ନିଜର ସମର୍ଥକମାନଙ୍କୁ ସୋସିଆଲ୍ ମିଡିଆରେ କୃତଜ୍ଞତା ଜଣାଇଥିଲେ। ପଦକ ହାତେଇବା ପରେ ସେ ନିଜର ଖୁସି ବ୍ୟକ୍ତ କରିଥିଲେ।
ସୂଚନାଯୋଗ୍ୟ, ‘ୱାଲ୍ର୍ଡ ଆଥ୍ଲେଟିକ୍ସ୍ ଚାମ୍ପିଅନ୍ସିପ୍’ ପଦକ ଜିଣିବାରେ ନୀରଜ ହେଉଛନ୍ତି ଦ୍ବିତୀୟ ଖେଳାଳି। ୨୦୦୩ରେ ଏହି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଲଙ୍ଗ୍ ଜମ୍ପ୍ରେ ଭାରତୀୟ ଖେଳାଳି ଅଞ୍ଜୁ ବବି ଜର୍ଜ କାଂସ୍ୟ ପଦକ ହାସଲ କରିଥିଲେ।