ହଜିଗଲା ମାନବିକତା: ଅମୃତସର ଟ୍ରେନ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେମାନଙ୍କୁ ଲୁଟ୍‌ କରୁଥିଲେ ସ୍ଥାନୀୟ ଲୋକେ

ଅମୃତସର (ପଞ୍ଜାବ): ଅମୃତସର ଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ୬୧ ଜଣ ମୁତ୍ୟୁବରଣ କରିବା ସହ ୧୪୩ ଜଣ ଆହତ ହେବା ଘଟଣା ଏବେ ସମଗ୍ରଦେଶକୁ ଦୋହଲାଇ ଦେଇଛି।

ତେବେ, ଏହି ଦୁର୍ଘଟଣାପରେ ଘଟି ଯାଇଥିବା ଏକ ଅମାନବୀୟ ଘଟଣା ଏବେ ସମଗ୍ର ଦେଶକୁ ଲଜ୍ଜିତ କରି ଦେଇଛି। ଏକ ସଭ୍ୟ ସମାଜରେ ଘଟି ଯାଇଥିବା ଏପରି ଏକ ଅମାନବୀୟ ଘଟଣାର ଯେତେ ନିନ୍ଦା କରାଗଲେ ସୁଦ୍ଧା ତାହା କମ ହେବ। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏହି ଦୁର୍ଘଟଣାରେ ଶତାଧିକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ଯେତେବେଳେ ସାହାଯ୍ୟ ପାଇଁ ଆକୁଳ ଭାବେ ଆର୍ତ୍ତ ଚିତ୍କାର କରୁଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେମାନଙ୍କ ନିକଟରେ ଥିବା ସୁନା ଗହଣା, ପର୍ସ, ଘଣ୍ଟା ଓ ମୋବାଇଲ ଫୋନ୍‌ ଆଦି ମୂଲ୍ୟବାନ୍‌ ସାମଗ୍ରୀ ସବୁକୁ ଲୁଟ୍‌ କରିବାରେ ମାତି ଯାଇଥିଲେ।

ଏହି ଦୁର୍ଘଟଣାରେ ମୁତ୍ୟୁବରଣ କରିଥିବା ୧୭ ବର୍ଷ ବୟସ୍କ ବାସୁ ନାମକ ଜନୈକ ଯୁବକଙ୍କ ମା’ ଜ୍ୟୋତି କୁମାରୀ କହନ୍ତି, ମୁଁ ମୋର ପୁଅର ମୃତ ଦେହକୁ ସିଭିଲ ହସ୍ପିଟାଲରୁ ପାଇଥିଲି। କିନ୍ତୁ, ସେତେବେଳକୁ ତା’ ନିକଟରେ ଥିବା ୨୦ ହଜାର ଟଙ୍କାର ମୋବାଇଲ ଫୋନ୍‌ ସମେତ ତା’ର ପର୍ସ ଚୋରି ହୋଇ ସାରିଥିଲା। ଏ କେବଳ ଭାତ ହାଣ୍ଡିରୁ ଗୋଟିଏ। ବାସୁଙ୍କ ପରି ତରୁଣ ମାଖାନ (୧୯), ମନ୍‌ଜିତ୍‌ଙ୍କ ପରି ଆହୁରି ଅନେକଙ୍କ କାହାଣୀ ଏହିପରି। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ସହ ନିଜର ତିନି ବର୍ଷର ଝିଅକୁ ହରାଇଥିବା ଦୀପକ କହନ୍ତି, ମୁଁ ଯେତେବେଳେ ଗୁରୁତର ଭାବେ ଆହତ ହୋଇ ସାହାଯ୍ୟ ଚିତ୍କାର କରୁଥିଲି, ସେତେବେଳେ ଯେଉଁମାନେ ମୋ ନିକଟକୁ ଆସିଥିଲେ ସେମାନେ ମୋ ପର୍ସ ଓ ମୋବାଇଲ୍‌କୁ ମୋ ଠାରୁ ଲୁଟି ନେବା ପରେ ମୋତେ ଉଦ୍ଧାର ନକରି ସେଠାରୁ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର