‘ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଜଣେ ଅତି ସଚ୍ଚୋଟ ଅଫିସର; ସରକାର ତାଙ୍କ ପ୍ରତି ବହୁତ ଅନ୍ୟାୟ କରିଛନ୍ତି’: ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ଆଜି (ଶୁକ୍ରବାର) କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଖୋଲାଖୋଲି ପ୍ରସଂଶା କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଜଣେ ଅତି ’ସଚ୍ଚୋଟ’ ବ୍ୟକ୍ତି ଏବଂ ତାଙ୍କ ପ୍ରତି କେନ୍ଦ୍ର ସରକାର ‘ବହୁତ ଅନ୍ୟାୟ’ କରୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ।

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଆଜି ଗଣମାଧ୍ୟମକୁ କହିଛନ୍ତି, ‘ଆଲୋକ ବର୍ମା ଦିଲ୍ଲୀ ପୁଲିସ୍‌ କମିଶନର ଥିବା କାଳରୁ ମୁଁ ତାଙ୍କୁ ଜାଣିଛି। ଏୟାରସେଲ୍‌- ମାକ୍ସିସ୍‌ ଓ ଅନ୍ୟ ମାମଲାର ତଦନ୍ତ ସେ ଯେପରି ଭାବେ ସଫଳତାର ସହ କରିଛନ୍ତି ତାହାର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ। ଆଲୋକ ବର୍ମା ଏତେ ସଚ୍ଚୋଟ ଅଫିସର ଯେ ସେ କାହାରି ଘରେ ପାଣି ଗିଲାସଟେ ସୁଦ୍ଧା ପିଅନ୍ତି ନାହିଁ। ତେବେ, ସିବିଆଇରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ କରିବାରେ ବିଫଳ ହୋଇ ସରକାର ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଦେବା ନିହାତି ବିଡ଼ମ୍ବନାର ବିଷୟ। ତାଙ୍କ ପରି ଜଣେ ସଚ୍ଚୋଟ ଅଫିସରଙ୍କ ପ୍ରତି ଅନ୍ୟାୟ କରି ସରକାର ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନକୁ ଦୁର୍ବଳ କରିଦେଇଛନ୍ତି’ ବୋଲି ସରକାରଙ୍କ ଉପରେ ସିଧାସଳଖ ଆରୋପ ଲଗାଇଛନ୍ତି ଶ୍ରୀ ସ୍ୱାମୀ। ଏପରିସ୍ଥିତିରେ ଆଲୋକ ବର୍ମାଙ୍କ ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ଥିବା ବେଳେ କୋର୍ଟ ତାଙ୍କ ପ୍ରତି ନ୍ୟାୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ।

ସମ୍ବନ୍ଧିତ ଖବର