ଆମ୍ବେଦକର ଓ ମହାତ୍ମା ଫୁଲେଙ୍କ ଉପରେ ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କ ମୁହଁରେ କାଳି ଫିଙ୍ଗିଲେ ଯୁବକ

ମୁମ୍ବାଇ: ଡକ୍ଟର ବାବା ସାହେବ ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ (ଭିକ୍ଷା ମାଗିବା) ଦେଇଥିବା ଦର୍ଶାଇ ଶନିବାର ଦିନ ପୁଣେର ଉପନଗରୀ ପିମ୍ପ୍ରିରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ‘ବିଜେପି’ ନେତା ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କ ମୁହଁ ଉପରେ କଳା କାଳି ଫିଙ୍ଗାଯାଇଛି।

ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ପିମ୍ପ୍ରି ଚିଞ୍ଚ୍‌ୱାଦ୍‌ର ଗୋଟାଏ କୋଠାରୁ ବାହାରୁ ଥିବା ବ‌େଳେ ନୀଳ ଜାମା ପିନ୍ଧିଥିବା ଜଣେ ବ୍ୟକ୍ତି ‘ବିଜେପି’ ନେତା ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କ ଆଡ଼କୁ ଯାଉଛନ୍ତି। ତା’ପରେ ସେ ବ୍ୟକ୍ତିଜଣକ ପାଟିଲ୍‌ଙ୍କ ମୁହଁରେ କଳା କାଳି ଫିଙ୍ଗୁଛନ୍ତି।

ସଜାଗ ଥିବା ନିରାପତ୍ତା ରକ୍ଷୀମାନେ ତୁରନ୍ତ କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରି ଗିରଫ କରିବା ସହିତ ପାଟିଲ୍‌ଙ୍କୁ ନିରାପଦ ସ୍ଥାନକୁ ନେଇଯାଇଥିଲେ।

ଔରଙ୍ଗାବାଦରେ ଆୟୋଜିତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍‌ ଡକ୍ଟର୍‌ ବାବାସାହେବ ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେଙ୍କ ବିଷୟରେ ମନ୍ତବ୍ୟ ଦେବାର ଦିନକ ପରେ କାଳି ଆକ୍ରମଣର ସରବ୍ୟ ହୋଇଛନ୍ତି।

Image Courtesy of Zee News

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଚନ୍ଦ୍ରକାନ୍ତ ପାଟିଲ୍‌ କହିଲେ, ମୁଁ ଜଣେ ଯୋଦ୍ଧା। ଏଭଳି ଭୀରୁ କାର୍ଯ୍ୟକଳାପକୁ ଭୟ କରେନାହିଁ। ମୁଁ ଆଖି ଡ୍ରପ୍‌ ପକାଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି।

ଶାନ୍ତ ରହିବାକୁ ଦଳୀୟ କର୍ମୀଙ୍କୁ ନିବେଦନ କରି ଚନ୍ଦ୍ରକାନ୍ତ ପାଟିଲ୍‌ ‘ଏନ୍‌ସିପି’ ଓ ‘ଶିବସେନା’ ନେତାମାନଙ୍କୁ ଆକ୍ରମଣ ସଂକ୍ରାନ୍ତରେ ପଚାରିଛନ୍ତି, ଅଜିତ ପୱାର୍‌, ଶରଦ ପୱାର ଓ ଉଦ୍ଧବ ଠାକ୍‌ରେଙ୍କୁ ମୁଁ ପଚାରୁଛି, ସ୍ପଷ୍ଟ ଭାବେ କହୁନ୍ତୁ, ଏ କାମଟି କ’ଣ ଭୁଲ୍‌ ନୁହେଁ?

କାଳିଫିଙ୍ଗା ଘଟଣା ପରେ ଗଣମାଧ୍ୟମକୁ ପାଟିଲ୍‌ କହିଥିଲେ, ପାଠ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିବାରୁ ସାର୍ଟିଫିକେଟ୍‌ ବଣ୍ଟନ କରିବା ଲାଗି ମୁଁ ଦେବଗିରି ଜିଲ୍ଲାର ପୈଠାନ୍‌ସ୍ଥିତ ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲି। ସେମାନେ ମୋତେ ଆଉ ପାଣ୍ଠି ଯୋଗାଇ ଦେବାକୁ କହିଥିଲେ। ସେମାନଙ୍କୁ ୧୨ କୋଟି ଟଙ୍କା ଦିଆ ଯାଇଥିଲେ ବି ସେମାନେ ସରକାରଙ୍କୁ ଆଉ ୨୩ କ‌ୋଟି ଟଙ୍କା ମାଗୁଥିଲେ। ସେମାନଙ୍କ ଦାବି ଅନୁମୋଦନ କରିସାରି ମୁଁ କହିଥିଲି, ସରକାର ତ ନିଶ୍ଚୟ ଦେବେ। କିନ୍ତୁ, ଆପଣମାନେ ଅନ୍ୟ ସୂତ୍ରରୁ ବି ପାଣ୍ଠି ଯୋଗାଡ଼ କରନ୍ତୁ।

ଉପଯୁକ୍ତ ସମ୍ମାନ ଦେଇ ମୁଁ କହିଥିଲି ଯେ, ମହାରାଷ୍ଟ୍ରରେ ଡକ୍ଟର୍‌ ବାବାସାହେବ ଆମ୍ବେଦକର, ମହାତ୍ମା ଫୁଲେ ଏବଂ ମହର୍ଷି କାର୍ବେ ସ୍କୁଲ୍‌ ବସାଇଥିଲେ। ମୁଁ ସେମାନଙ୍କୁ ସମାଲୋଚନା କଲି କେତେ ବ‌େଳେ? ମୁଁ କହିଥିଲି, ସେମାନ ସରକାରୀ ସହାୟତାକୁ ଚାହିଁ ବସି ନ ଥିଲେ। ସେମାନେ ଭିକ୍ଷା କରି ସ୍କୁଲ୍‌ ବସାଇଥିଲେ।

ସମ୍ବନ୍ଧିତ ଖବର