ଅନ୍ତେବାସୀଙ୍କ ମୃତ୍ୟୁ ପରେ ଜେଲ ଭିତରେ କଏଦୀଙ୍କ ଲଙ୍କାକାଣ୍ଡ; ୩୦ ପୁଲିସ୍‌ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହଗଡ ଜିଲ୍ଲା ଜେଲରେ ନ୍ୟାୟିକ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କର ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଏହାକୁ କେନ୍ଦ୍ର କରି ଆଜି  ଜେଲ ମଧ୍ୟରେ ଲଙ୍କାକାଣ୍ଡ ଭିଆଇଛନ୍ତି। ଫତେହଗଡ ଜିଲ୍ଲା ଜେଲରେ କଏଦୀମାନେ ଦଙ୍ଗା ଏବଂ ଅଗ୍ନିକାଣ୍ଡ ଘଟାଇଥିବା ଜଣାଯାଇଛି। ଏହି ଘଟଣାରେ ଜେଲରେ ଥିବା ଅନ୍ୟ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି ଓ ୩୦ ଜଣ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଏହି ଘଟଣାର ଏକ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଡେଙ୍ଗୁରେ ଆକ୍ରାନ୍ତ ହୋଇଥଇବା ଜଣେ କଏଦୀଙ୍କର ସାଇଫାଇ ମେଡିକାଲ କଲେଜରେ ମୃତ୍ୟୁ ଘଟିବା ଖବର ମିଲିବା ପରେ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ଦଙ୍ଗା ଏବଂ ଅଗ୍ନିକାଣ୍ଡ ଘଟାଇଥିଲା। ଯେଉଁଥିରେ ଜେଲରେ ଥିବା ଅନ୍ୟ ଜଣେ ଅନ୍ତେବାସୀ ପ୍ରାଣ ହରାଇଥିଲେ।

ପରେ କଏଦୀମାନେ ପୁଲିସ୍‌ କର୍ମୀଙ୍କ ଉପରକୁ ପଥର ଫିଙ୍ଗି ଜେଲ ପରିସର ଭିତରେ ନିଆଁ ଲଗାଇବା ଦେବାରୁ ୩୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସୋସିଆଲ ମିଡିଆରେ ଜେଲ ଭିତରେ ହୋଇଥିବା ଏହି ଦଙ୍ଗାର ଭିଡିଓ ଏବେ ବହୁଳ ଭାବରେ ପ୍ରସାରିତ ହେଉଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକ ଅଗ୍ନିଶମ ବାହିନୀକୁ ଡକା ଯାଇଥିଲା। ଏବଂ ଅତିରିକ୍ତ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିଲା। ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ମୀନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କଏଦୀଙ୍କ ଦ୍ୱାରା ହୋଇଥିବା ପଥର ଫିଙ୍ଗିବା ଘଟଣାରେ ୩୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ, କିନ୍ତୁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି।

ସମ୍ବନ୍ଧିତ ଖବର